କଟକ: ସାରା ଦେଶରେ LPG ସିଲିଣ୍ଡର ନେଇ ଅସୁବିଧା ଚାଲିଥିବା ବେଳେ, କଟକରୁ ଆସିଛି ଏକ ଭୟଙ୍କର ଖବର। ଗ୍ରାହକଙ୍କ ବିଶ୍ୱାସକୁ ଭାଙ୍ଗିଥିବା ଏକ ବଡ଼ ଠକେଇ ରାକେଟ୍ର ପର୍ଦ୍ଦାଫାଶ କରିଛି କଟକ ବିଡାନାସୀ ପୋଲିସ।
ଅଭିଯୋଗ ଅନୁସାରେ, ଜଣେ ଗ୍ୟାସ୍ ଡେଲିଭରି ବୟ ନିଜେ ନକଲି ବୋଟଲିଂ ୟୁନିଟ୍ ଚାଲୁ କରିଥିଲେ। ସେ ସିଲିଣ୍ଡରରୁ ଗ୍ୟାସ୍ ଚୋରି କରି, ସେଠିରେ ପାଣି ଭରି ଗ୍ରାହକଙ୍କୁ ଦେଉଥିଲେ। କଟକର ଲାଲବାଗ ଅଞ୍ଚଳର ଧ୍ରୁବ ଚରଣ ବେହେରା ନାମକ ବ୍ୟକ୍ତି ଏହି ରାକେଟ୍ ଚଲାଉଥିଲେ। ରନ୍ଧନ ଗ୍ୟାସର ସଙ୍କଟ ଦେଖାଦେଇଥିବା ବେଳେ ସେ ଏହାର ଫାଇଦା ଉଠାଇ ବେଆଇନ ଗ୍ୟାସ୍ ରିଫିଲିଂ ରାକେଟ୍ ଚଲାଉଥିଲା। ଅଭିଯୁକ୍ତ ଜଣକ ଏକ ଗ୍ୟାସ୍ ଏଜେନ୍ସିର ଡେଲିଭରି ବୟ ଭାବେ କାମ କରୁଥିବାରୁ ଗ୍ରାହକଙ୍କ ବିଶ୍ୱାସର ସୁଯୋଗ ନେଉଥିଲା।
କେମିତି ହେଉଥିଲା ଠକେଇ?
- ସିଲିଣ୍ଡରର ଗ୍ୟାସ୍ କମାଇ ଦିଆଯାଉଥିଲା
- ପାଣି ଭରି ଓଜନ ସେମିତି ରଖାଯାଉଥିଲା
- ଗ୍ରାହକ ଏହି ଠକେଇକୁ ବୁଝିପାରୁନଥିଲେ
ସବୁଠାରୁ ଚିନ୍ତାଜନକ କଥା ହେଉଛି ଜନବହୁଳ ଅଞ୍ଚଳରେ ସିଲିଣ୍ଡର ଗରମ କରି ଗ୍ୟାସ୍ ରିଫିଲିଂ ହେଉଥିଲା। ଏହା କେବେବି ବଡ଼ ବିସ୍ଫୋରଣ ଘଟିବ ନେଇ ସମ୍ଭାବନା ରହିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଏହି ବେଆଇନ ରାକେଟ୍ ର ପର୍ଦ୍ଦାଫାଶ କରିଛି। ଚଢାଉ ସମୟରେ ପୋଲିସ ୧୦ଟି ଘରୋଇ ଏଲପିଜି ସିଲିଣ୍ଡର, ରିଫିଲିଂ ଉପକରଣ, ସିଲିଂ ଉପକରଣ, ୨୩,୧୦୦ ଟଙ୍କା ମୂଲ୍ୟର ନଗଦ, ଏକାଧିକ କ୍ୟାସ ମେମୋ, ଗୋଟିଏ ଦୁଇ ଚକିଆ ଯାନ, ଗୋଟିଏ ମୋବାଇଲ ଫୋନ୍ ଏବଂ ବେଆଇନ କାର୍ଯ୍ୟରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।