ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଜୋରଦାର ରାଜନୈତିକ ତୁଫାନ ପରେ ଶେଷରେ ପଛକୁ ହଟିଛନ୍ତି ରାଜ୍ୟ ସରକାର। ବିଧାନସଭାରେ ପାରିତ ହୋଇଥିବା ଦରମା ବୃଦ୍ଧି ବିଲ୍କୁ ଆଜି ଅଧିକୃତ ଭାବେ ପ୍ରତ୍ୟାହାର କରାଯାଇଛି। ଗତ ବର୍ଷ ପାସ୍ ହୋଇଥିବା ଏହି ବିଲ୍ ଅନୁସାରେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମାକୁ ତିନିଗୁଣା ବଢାଇବାକୁ ବ୍ୟବସ୍ଥା ଥିଲା।
ନୂତନ ବ୍ୟବସ୍ଥା ଲାଗୁ ହେଲେ ବିଧାୟକମାନେ ପ୍ରତିମାସ ପ୍ରାୟ ୩ ଲକ୍ଷ ୪୫ ହଜାର ଟଙ୍କା ପାଇଥାନ୍ତେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦରମା ପାଖାପାଖି ୩.୭୪ ଲକ୍ଷ ଟଙ୍କା ଓ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦରମା ୩.୬୦ ଲକ୍ଷ ଟଙ୍କାକୁ ଛୁଇଁଥାନ୍ତା। କିନ୍ତୁ ଦେଶର ଅନ୍ୟ ରାଜ୍ୟଙ୍କ ସହିତ ତୁଳନା କରିଲେ ଏହି ବୃଦ୍ଧି ସର୍ବାଧିକ ଥିବାରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରୀ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସୋସିଆଲ୍ ମିଡିଆରୁ ଆରମ୍ଭ କରି ରାଜନୈତିକ ମଞ୍ଚ ସବୁଠି ଏହାକୁ ନେଇ ତୀବ୍ର ସମାଲୋଚନା ହୋଇଥିଲା।
ପରିସ୍ଥିତି ଗମ୍ଭୀର ହେବା ପରେ ଶାସକ ଓ ବିରୋଧୀ ଉଭୟ ଦଳରୁ ବିଲ୍ ପ୍ରତ୍ୟାହାର ପାଇଁ ସରକାର ଉପରେ ଚାପ ବଢିଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ବର୍ଦ୍ଧିତ ଦରମା ନେବାରୁ ବିରତ ରହି ଗରିବଙ୍କ କଲ୍ୟାଣରେ ଧନ ବ୍ୟୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସରକାର ଲୋକମତକୁ ସମ୍ମାନ ଦେଇ ବିଲ୍କୁ ଫେରାଇ ନେବାର ନିଷ୍ପତ୍ତି ନେଇଛି।
ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ସମସ୍ତ ବିଧାୟକଙ୍କୁ ଏକ ପତ୍ର ଜରିଆରେ ଏହି ସୂଚନା ଦିଆଯାଇଛି। ସଚିବ ସତ୍ୟବ୍ରତ ରାଉତଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କରିବା ପାଇଁ ଅନୁମତି ମାଗିଛନ୍ତି।
ଓଡ଼ିଶା ବିଧାନସଭା ସଭ୍ୟଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ୍, ୨୦୨୫, ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍, ୨୦୨୫, ଓଡ଼ିଶା ବିଧାନସଭା ଉପ-ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍, ୨୦୨୫, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍, ୨୦୨୫ କୁ ପ୍ରତ୍ୟାହାର କରିବାକୁ ଅନୁମତି ମାଗିଛନ୍ତି। ଏହି ବିଲ୍ ଗୁଡ଼ିକ ଗୃହରେ ଆଗତ ହୋଇସାରିଥିବାବେଳେ ଏବେ ସରକାର ଏହାକୁ ପ୍ରତ୍ୟାହାର କରୁଛନ୍ତି। ବିଧାନସଭା ସଚିବାଳୟ ଏହି ନୋଟିସର ନକଲ ରାଜ୍ୟପାଳଙ୍କ ସଚିବ, ଆଡଭୋକେଟ ଜେନେରାଲ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ପଠାଇ ଦେଇଛନ୍ତି।