ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି । ଏହି ସଙ୍କଟ ପରିସ୍ଥିତିକୁ କିପରି ସଫଳତାର ସହିତ ମୁକାବିଲା କରାଯିବ ସେଥିପାଇଁ ବେଶ ସତର୍କତାର ସହିତ ଭାରତ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ।
ଶୁକ୍ରବାର ପଶ୍ଚିମ ଏସିଆର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ଆଭାସୀ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ଯେଉଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଅଂଶ ଗ୍ରହଣ କରିପାରିବେ ନାହିଁ । ତେବେ ସେମାନଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବମାନେ ବୈଠକରେ ଯୋଗ ଦେବେ । ‘ଟିମ୍ ଇଣ୍ଡିଆ’ର ବାର୍ତ୍ତା ନେଇ କାମ କରିବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ପାରନ୍ତି ।
ଉଲ୍ଲେଖ ଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ସଂସଦରେ ଦକ୍ଷିଣ ଏସିଆ ସଙ୍କଟକୁ ନେଇ ଗୃହରେ ଅଭିଭାଷଣ ରଖିଥିଲେ । ଏଭଳି ସ୍ଥିତିରେ ଏକ ମତରେ ଏକତାର ସହିତ କାମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଦଳକୁ ଆହ୍ୱାନ କରିଥିଲେ । ବିଶ୍ୱରେ ଭାରତର ଏକ ସ୍ୱରକୁ ପହଁଚାଇବାକୁ ପରାମର୍ଶ ଦେଇଥିଲେ ।