ନୂଆଦିଲ୍ଲୀ: ପୁଣି ଥରେ ଇରାନକୁ ଶକ୍ତ ଝଟକା ଲାଗିଛି । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ନୌସେନାର କମାଣ୍ଡର ରିଅର ଆଡମିରାଲ ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ହୋଇଥିବାର ଦାବି କରିଛି ଇସ୍ରାଏଲ୍ । ଜଣେ ଇସ୍ରାଏଲୀ ଅଧିକାରୀ ଦାବି କରିଛନ୍ତି ଯେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ସମୟରେ ବନ୍ଦର ଆବାସରେ ତାଙ୍ଗସିରିଙ୍କ ମୃତ୍ୟୁ ହୋଇଛି । ତାଙ୍ଗସିରି ହର୍ମୁଜ୍ ଷ୍ଟ୍ରେଷ୍ଟ ବନ୍ଦ କରିବାକୁ ଧମକ ଦେଇଥିଲେ । ତେବେ ଇରାନ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।
ଆଲିରେଜା ତାଙ୍ଗସିରି ୨୦୧୮ ମସିହାରୁ IRGC ନୌସେନାର କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ଇରାନର ନୌସେନା ରଣନୀତିରେ ଜଣେ ପ୍ରମୁଖ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା। ତାଙ୍କ ନାମ ବିଶେଷ ଭାବରେ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାର ଧମକ ସହିତ ଜଡିତ ଥିଲା ।
ତାଙ୍ଗସିରି ଅନେକ ଥର ଧମକ ଦେଇଥିଲେ ଯେ ଆବଶ୍ୟକତା ସ୍ଥଳେ ଇରାନ ହର୍ମୁଜକୁ ଶତ୍ରୁ ପକ୍ଷ ପାଇଁ ବନ୍ଦ କରିପାରିବ । ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ସାମୁଦ୍ରିକ କ୍ଷମତାକୁ ବୃଦ୍ଧି କରିବାରେ ତାଙ୍ଗସିରିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଉଲ୍ଲେଖ ଯୋଗ୍ୟ, ଆମେରିକା-ଇସ୍ରାଏଲ୍ ସହିତ ଯୁଦ୍ଧରେ ଇରାନର ଏଯାବତ 8 ଜଣ ଶୀର୍ଷ ନେତାଙ୍କୁ ହରାଇଛି । ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି । ନିହତ ନେତାଙ୍କ ମଧ୍ୟରେ ଆୟାତୋଲ୍ଲା ଖାମେନିଙ୍କ ପରାମର୍ଶଦାତା ଅଲି ଶାମଖାନି, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପର କମାଣ୍ଡର-ଇନ୍-ଚିଫ୍ ମହମ୍ମଦ ପାକପୁର, ପ୍ରତିରକ୍ଷା ମନ୍ତ୍ରୀ ଏବଂ ପୂର୍ବତନ ବାୟୁସେନା ଅଧିକାରୀ ଅଜିଜ୍ ନାସିରଜାଦେହ, ଇରାନର ମୁଖ୍ୟ ଅବଦୁଲରହିମ୍ ମୁସାଭି, ଶୀର୍ଷ ସୁରକ୍ଷା ଅଧିକାରୀ ଅଲି ଲାରିଜାନି, ଘୋଲାମରେଜା ସୋଲେମାନୀ ଓ ଗୁପ୍ତଚର ମନ୍ତ୍ରୀ ଇସମାଇଲ ଖାତିବ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯାହାକି ଦେଶ ପାଇଁ ଏକ ବଡ଼ ସ୍ଥାୟୀ କ୍ଷତି ।