ନୂଆଦିଲ୍ଲୀ: ଇରାନର ସେନାର ଜଣେ ମୁଖପାତ୍ର ଯୁଦ୍ଧ ବିରତି ବୁଝାମଣା ସଂପର୍କିତ ଆମେରିକା ପ୍ରୟାସକୁ ପରିହାସ କରିଛନ୍ତି । ତେଣୁ ଏବେ ପ୍ରଶ୍ନ ଉଠିଛି ଯେ, କଣ ଆମେରିକା ଦ୍ୱାରା ପ୍ରସ୍ତାବିତ ୧୫ ସୂତ୍ରୀୟ ଯୋଜନା ସଫଳ ହେବାର ସମ୍ଭାବନା ରହିଛି ? ଇରାନ ପକ୍ଷରୁ ସଙ୍କେତ ଦିଆଯାଇଛି ଯେ, ଟ୍ରମ୍ପଙ୍କ ସବୁ ଦାବି ସ୍ୱୀକାର କରାଯାଇ ପାରିବ ନାହିଁ ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ଅଧିକାରୀ ଏହି ଯୋଜନା ଉପରେ ଇରାନ ସହିତ ମିଶି ଆଲୋଚନା କରୁଛୁ । ମାତ୍ର ସରକାରୀ ଟେଲିଭିଜନରେ ପ୍ରସାରିତ ବୟାନ ଅନୁସାରେ, ଇରାନ କହିଛି ଯେ, ଆମେରିକା ସହିତ ସେମିତି କିଛି ଆଲୋଚନା ହୋଇ ନାହିଁ । ଇରାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଇବ୍ରାହିମ ଜୁଲଫାଘାରି କହିଛନ୍ତିି ଯେ, ଆମେରିକାରେ ଆଭ୍ୟନ୍ତରୀଣ କନ୍ଦଳ ଏମିତି ବଢି ଯାଇଛି ଯେ, ଟ୍ରମ୍ପ ଖୋଦ୍ କଥା ହେବାକୁ ଆଗଭର ହୋଇ ଉଠିଛନ୍ତି ।
ଜୁଲଫାଘାରି କହିଛନ୍ତି, ପ୍ରଥମ ଦିନଠୁ ଆମର ପ୍ରଥମ ଏବଂ ଶେଷ କଥା ଏହା ରହିଛି ଯେ, ଆମ ପରି ଲୋକ ଏବଂ ଆପଣଙ୍କ ପରି ଲୋକଙ୍କ ମଧ୍ୟରେ କେବେ ବି ବୁଝାମଣା ହୋଇ ପାରିବ ନାହିଁ । ନା ଏବେ ହେବ ନା ଭବିଷ୍ୟତରେ ହେବ । ଏମିତି କହି ସେ ଆମେରିକାକୁ ସିଧାସଳଖ ଖୋଲା ସନ୍ଦେଶ ଦେଇଛନ୍ତି ।
ପାକିସ୍ତାନ ଜରିଆରେ ରଖାଯାଇଛି ସର୍ତ୍ତ
ଜଣେ ଅଧିକାରୀ କହିଛନ୍ତି, ଆମେରିକାର ୧୫ ସୂତ୍ରୀୟ ଯୁଦ୍ଧବିରତି ଯେଜାନା ପାକିସ୍ତାନର ମଧ୍ୟସ୍ଥତାଙ୍କ ଜରିଆରେ ଇରାନକୁ ଦିଆଯାଇଛି । ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି । ଆମେରିକାର ଏହି ପ୍ରସ୍ତାବ ଏପରି ସମୟରେ ଆସିଛି ଯେତେବେଳେ ଇରାନ ଆଖପାଖ କ୍ଷେତ୍ରରେ ନୌସେନା ଜାହାଜ ଓ ସେନା ମୁତୟନ କରିବାକୁ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ବିଚାର କରୁଛି ।