ଭୁବନେଶ୍ଵର: ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଏବଂ ଗ୍ରୀଷ୍ମକାଳୀନ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନିଫର୍ମ। ଏହା ପୂର୍ବରୁ ବଣ୍ଟନ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ବିଭାଗୀୟ କମିଶନର-ତଥା-ଶାସନ ସଚିବ ଡଃ ଏନ୍. ଥିରୁମାଲା ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ, ପୂର୍ବ ବର୍ଷମାନଙ୍କରେ ପୋଷାକ କିଣା, ସିଲେଇ ଏବଂ ବଣ୍ଟନରେ ଅତ୍ୟଧିକ ବିଳମ୍ବ ହେଉଥିବା ଦେଖାଯାଇଛି। ଯାହା ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଚଳିତ ବର୍ଷ ଆଗୁଆ ଯୋଜନା ପ୍ରସ୍ତୁତ କରିବା ସହ ପୋଷାକ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।
ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲାରେ ପୋଷାକ କିଣାଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯିବ। ନୂତନ ନାମଲେଖା ଏବଂ ପୁରୁଣା ଛାତ୍ରଛାତ୍ରୀଙ୍କ ସଠିକ୍ ଆକଳନ କରି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ପୋଷାକର କପଡ଼ା ଏବଂ ସିଲେଇର ମାନ ଯେପରି ନିମ୍ନଧରଣର ନହୁଏ, ସେଥିପାଇଁ ବିଭିନ୍ନ ସମୟରେ ଆକସ୍ମିକ ଯାଞ୍ଚ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।
ଏଥିସହିତ, ପୋଷାକ ବଣ୍ଟନରେ ଯଦି କୌଣସି ଅଭିଯୋଗ ଆସେ, ତେବେ ତାହାକୁ ତୁରନ୍ତ ସମାଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ‘ଅଭିଯୋଗ ପ୍ରତିକାର’ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ। ସରକାର ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ପ୍ରତି ୧୫ ଦିନରେ ଏହାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଓସେପା (OSEPA) ଏବଂ ଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି।