ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଛି। ଏହା ପୂର୍ବରୁ ବିସିସିଆଇ ୧୯ତମ ସଂସ୍କରଣର ପୂରା ସିଡ୍ୟୁଲ ଜାରି କରିଛି। ମୋଟ ୧୨ଟି ସହରରେ ଆଇପିଏଲ ମ୍ୟାଚ୍ ଖେଳାଯିବ। ବିସିସିଆଇ ପ୍ରଥମେ ୨୦ଟି ମ୍ୟାଚ୍ ଘୋଷଣା କରିଥିଲା, କିନ୍ତୁ ଏବେ ବାକି ୫୦ଟି ଲିଗ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରିଛି। ସମସ୍ତ ମ୍ୟାଚ୍ ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ। ଗୁରୁତ୍ୱପୂର୍ଣ୍ଣ କଥା ବିଦ୍ୟୁତ୍ ଏବଂ ଇନ୍ଧନ ଅଭାବ ନେଇ ଚିନ୍ତା ସତ୍ତ୍ଵେ ଟୁର୍ଣ୍ଣାମେଣ୍ଟ ଯୋଜନା ଅନୁଯାୟୀ ଖେଳାଯିବ।
ଆଇପିଏଲର ୧୯ତମ ସିଜିନରେ ମୋଟ ଆଠଟି ଡବଲହେଡର ଖେଳାଯିବ। ପ୍ରଥମ ଡବଲହେଡର ମ୍ୟାଚ୍ ଅପରାହ୍ନ ୩ ଟା ୩୦ରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ୭ ଟା ୩୦ରେ ଆରମ୍ଭ ହେବ। ପଞ୍ଜାବ ଏହାର ଘରୋଇ ମ୍ୟାଚ୍ ଦୁଇଟି ଷ୍ଟାଡିୟମରେ ଧର୍ମଶାଳା ଏବଂ ନ୍ୟୁ ଚଣ୍ଡିଗଡ଼ରେ ଖେଳିବ। ଦ୍ଵିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ଜୟପୁରରେ ଚାରୋଟି ମ୍ୟାଚ୍ ଖେଳିବ। ଆରସିବି ବେଙ୍ଗାଲୁରୁରେ ତିନୋଟି ଏବଂ ରାୟପୁରରେ ଦୁଇଟି ଖେଳିବ। ପ୍ଲେଅଫ୍ ଏବଂ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ପରେ ଘୋଷଣା କରାଯିବ।
IPL 2026 ମାର୍ଚ୍ଚ ୨୮ରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମ କ୍ରୀଡ଼ାସୂଚୀ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଜାରି ହୋଇଥିଲା। ଏହି ସମୟରେ ୨୦ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଥିଲା ବିସିସିଆଇ। ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୩ ରୁ ମେ ୨୪ ମଧ୍ୟରେ ୫୦ଟି ମ୍ୟାଚ୍ ଖେଳାଯିବ। ଅର୍ଥାତ ଲିଗ୍ ପର୍ଯ୍ୟାୟରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ।