ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍-୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଏପ୍ରିଲ ଏପ୍ରିଲ ୧୩ରୁ ଆରମ୍ଭ ହୋଇ ମେ ୨୪ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍ ଦ୍ୱିତୀୟ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିରେ ମୋଟ ୫୦ଟି ମ୍ୟାଚ୍ ଖେଳାଯିବ ।
ମୋଟ ୧୨ଟି ସହରରେ ମ୍ୟାଚ୍ ଖେଳାଯିବ । ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ଚଣ୍ଡିଗଡ଼ ସହରରେ ମୋଟ୍ ୫୦ଟି ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ସନରାଇଜର୍ସ ହ୍ରାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲସ ମଧ୍ୟରେ ହାଇଦ୍ରାବାଦରେ ଖେଳାଯିବ । କ୍ରିକେଟ ପ୍ରେମୀଙ୍କ ପାଇଁ ମୋଟ 8ଟି ଡବଲ୍ ହେଡର୍ ମ୍ୟାଚର ବ୍ୟବସ୍ଥା କରାଯାଇଛି । ଅର୍ଥାତ୍ ଗୋଟିଏ ଦିନରେ 2ଟି ମ୍ୟାଚ୍, ଅପରାହ୍ନ 3.30ରେ ଏବଂ ସନ୍ଧ୍ୟା ୭.୩୦ରେ ଖେଳାଯିବ ।
ଆଇପିଏଲ୍ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ତେବେ ଏଥର ଆଇପିଏଲର ଉଦଘାଟନ ସମାରୋହୀ ହେବ ନାହିଁ । ଗୁରୁବାର ବିସିସିଆଇ ସଚିବ ଦେବଜିତ ସୈକିୟା ଏହାର ସୂଚନା ଦେଇଛନ୍ତି । ଗତ ବର୍ଷ ଜୁନ ୪ରେ ଆରସିବିର ଭିକ୍ଟ୍ରି ପରେଡ ସମୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିଜନ ପ୍ରତି ସମବେଦନା, ସ୍ମୃତି ଓ ସମ୍ମାନରେ ବିସିସିଆଇ ଉଦଘାଟନୀ ସମାରୋହ ନ କରିବାକୁ ନିଷ୍ପତ୍ତି ନେଇଛି । ଗତ ବର୍ଷ ଆରସିବି ପଞ୍ଜାବ କିଙ୍ଗ୍ସକୁ ହରାଇ ନିଜର ପ୍ରଥମ ଟାଇଟଲ୍ ଜିତିଥିଲା ।