ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେଉଛି। ଫଟାଫଟ୍ କ୍ରିକେଟର ରୋମାଞ୍ଚ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ୧୦ଟି ଦଳ ମୋଟ ୭୪ଟି ମ୍ୟାଚ୍ ଖେଳିବେ। ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆରଏଚ୍) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।
ଗତବର୍ଷ ଆରସିବିର ବିଜୟ ପରେ ବେଙ୍ଗାଲୁରୁରେ ବିଜୟ ଶୋଭାଯାତ୍ରା ସମୟରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଯୋଗୁଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ବର୍ଷ ଉଦ୍ଘାଟନୀ ଉତ୍ସବ ନକରିବାକୁ ନିଷ୍ପତ୍ତି ନେଇଛି। ତଥାପି ବୋର୍ଡ ୩୧ ମଇରେ ଫାଇନାଲ୍ ପୂର୍ବରୁ ଏକ ମହାନ ସମାପନ ଉତ୍ସବ ଆୟୋଜନ କରିବାକୁ ଯୋଜନା କରୁଛି।
ଉଦ୍ଘାଟନୀ ମ୍ୟାଚ୍ ପୂର୍ବରୁ ସେହି ୧୧ ଜଣ ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ସ୍ମାରକୀ ଫଳକ ସ୍ଥାପନ କରାଯିବ। ଷ୍ଟାଡିୟମରେ ଏଗାରଟି ଚେୟାର ସ୍ଥାୟୀ ଭାବରେ ଖାଲି ରହିବ, ଏବଂ ଭବିଷ୍ୟତର ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଏହି ଆସନଗୁଡ଼ିକର ଟିକେଟ୍ ବିକ୍ରି ହେବ ନାହିଁ। ମ୍ୟାଚ୍ ପୂର୍ବରୁ ମୃତକଙ୍କ ନାମ ପ୍ରଦର୍ଶିତ ହେବ ଏବଂ ସେମାନଙ୍କୁ ମନେ ରଖିବା ପାଇଁ ଏକ ମିନିଟ୍ ନୀରବତା ପାଳନ କରାଯିବ।
୧୩ଟି ସ୍ଥାନରେ ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ପ୍ରତି ୧୨ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ଦୁଇଟି ଲେଖାଏଁ ଘରୋଇ ପଡ଼ିଆ ଚୟନ କରିଛନ୍ତି। ରାଜସ୍ଥାନ ଗୌହାଟିରେ ଏହାର ପ୍ରଥମ ତିନୋଟି ଘରୋଇ ମ୍ୟାଚ୍ ଖେଳିବ। ବାକି ଚାରୋଟି ମ୍ୟାଚ୍ ଜୟପୁରରେ ଖେଳାଯିବ।
ଏପର୍ଯ୍ୟନ୍ତ ବିଜୟୀ ଦଳଗୁଡ଼ିକ
- ଚେନ୍ନାଇ ସୁପର କିଙ୍ଗ୍ସ: (୨୦୧୦, ୨୦୧୧, ୨୦୧୮, ୨୦୨୧, ୨୦୨୩)
- ମୁମ୍ବାଇ ଇଣ୍ଡିଆନ୍ସ,: (୨୦୧୩, ୨୦୧୫, ୨୦୧୭, ୨୦୧୯, ୨୦୨୦)
- କୋଲକାତା ନାଇଟ୍ ରାଇଡର୍ସ: (୨୦୧୨, ୨୦୧୪, ୨୦୨୪)
- ରାଜସ୍ଥାନ ରୟାଲ୍ସ,: (୨୦୦୮)
- ଡେକାନ ଚାର୍ଜର୍ସ: (୨୦୦୯)
- ସନରାଇଜର୍ସ ହାଇଦ୍ରାବାଦ: (୨୦୧୬)
- ଗୁଜରାଟ ଟାଇଟାନ୍ସ,: (୨୦୨୨)
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: (୨୦୨୫)
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ: ଜାଣନ୍ତୁ ୧୦ଟି ପ୍ରମୁଖ ପ୍ରସଙ୍ଗ