ଚେନ୍ନାଇ: ଯଦି ଆପଣ ମହେନ୍ଦ୍ର ସିଂ ଧୋନି ଓ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ ତେବେ ଆପଣଙ୍କ ପାଇଁ ନିରାଶଜନକ ଖବର । ସିଏସକେର ପୂର୍ବତନ ଅଧିନାୟକ ଏମଏସ ଧୋନି ଆଇପିଏଲ୍ ୨୦୨୬ର ପ୍ରଥମ କିଛି ମ୍ୟାଚରୁ ବାଦ୍ ପଡିଛନ୍ତି । ଧୋନି ପ୍ରାୟ ଦୁଇ ସପ୍ତାହ ପାଇଁ ଆଇପିଏଲ୍ ୨୦୨୬ରୁ ବାହାରି ଯାଇଛନ୍ତି । ଆହତ କାରଣରୁ ଧୋନି ଏହି ନିଷ୍ପତ୍ତି ନେଇଛନ୍ତି ।
ମାଂଶପେଶୀ ଟାଣି ଧରିଥିବାରୁ ସଂପ୍ରତି ସେ ପୁନଃ ଥଇଥାନ ପ୍ରକ୍ରିୟାରେ ଗତି କରୁଛନ୍ତି । ଏହାର ସୂଚନା ଖୋଦ୍ ଚେନ୍ନାଇ ସୁପର କିଙ୍ଗସ ଦେଇଛି । ନିଜର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ସିଏସକେ କହିଛି ଯେ, ଏମଏସ ଧୋନି ଆହତ କାରଣରୁ ପୁନଃ ଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଏହି କାରଣରୁ ସେ ଆଇପିଏଲ୍ ୨୦୨୬ର ପ୍ରଥମ ଦୁଇ ସପ୍ତାହ ଖେଳିବାର ସମ୍ଭାବନା ନାହିଁ ।
ଆଇପିଏଲ ୨୦୨୬ର କ୍ରୀଡାସୂଚୀ ଅନୁଯାୟୀ, ପ୍ରଥମ ଦୁଇ ସପ୍ତାହରେ ଚେନ୍ନାଇ ଚାରୋଟି ମ୍ୟାଚ୍ ଖେଳିବ । ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ୪ଟି ମ୍ୟାଚ୍ ଖେଳିବ । ପୁଣି ଏପ୍ରିଲ ୧୪ରେ ଦଳର ପଞ୍ଚମ ମ୍ୟାଚ୍ ରହିଛି । ଆଇପିଏଲ୍ କ୍ୟାରିୟରରେ ପ୍ରଥମ ଥର ପାଇଁ ଧୋନି ଆହତ କାରଣରୁ ଏତେ ସଂଖ୍ୟକ ମ୍ୟାଚ୍ ଖେଳି ପାରିବେ ନାହିଁ । ଅନ୍ୟପଟେ ଏମଏସ ଧୋନିଙ୍କ ବୟସ ସମସ୍ୟା ମଧ୍ୟ ରହିଛି । ବର୍ତ୍ତମାନ ତାଙ୍କୁ ୪୪ ବର୍ଷ ହୋଇ ସାରିଛି । ଜୁଲାଇରେ ସେ ୪୫ ବର୍ଷ ବୟସରେ ପଦାର୍ପଣ କରିବେ ।
ସିଏସକେ ମାର୍ଚ୍ଚ ୩୦ରେ ନିଜର ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ସିଏସକେ ରାଜସ୍ଥାନକୁ ଭେଟିବ । ଏହି ମ୍ୟାଚ୍ ରାଜସ୍ଥାନର ଘରୋଇ ପଡିଆ ଗୌହାଟୀରେ ଖେଳାଯିବ । ଏହା ପରେ ଏପ୍ରିଲ ୩ରେ ପଞ୍ଜାବ କିଙ୍ଗ୍ସ, ଏପ୍ରିଲ ୫ରେ ଆରସିବି ଏବଂ ଏପ୍ରିଲ ୧୧ରେ ଦିଲ୍ଲୀ ବିପକ୍ଷରେ ଖେଳିବ ଚେନ୍ନାଇ । ତେବେ ଧୋନିଙ୍କ ଅନୁପସ୍ଥିତି ଚେନ୍ନାଇ ସେତେ ସମସ୍ୟା ନୁହେଁ । କାରଣ ୱିକେଟ୍ କିପର ଭାବେ ସଞ୍ଜୁ ସାମସନଙ୍କ ପରି ଖେଳାଳି ଅଛନ୍ତି ।