ଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ହେଉଛି ବାର ନିର୍ବାଚନ। ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଯାଇଛି ଏହି ମତଦାନ ପ୍ରକ୍ରିୟା। ଦିନ ୩ଟା ପର୍ଯ୍ୟନ୍ତ ଏହା ଚାଲିବ। ଏହା ପରେ ଅପରାହ୍ନ ୪ ଟାରୁ ଆରମ୍ଭ ହେବ ଭୋଟ ଗଣତି। ଆଜି ରାତି ସୁଦ୍ଧା ହିଁ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ସମୁଦାୟ ୧୫୫ଟି ଅନୁବନ୍ଧିତ ବାର ଆସୋସିଏସନରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଦ୍ଵାରା ପ୍ରସ୍ତୁତ ଓ ପ୍ରକାଶିତ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ବାର ଆସୋସିଏସନ୍ ଗୁଡ଼ିକୁ ପଠାଇ ଦିଆଯାଇଛି।
ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରି ତୁରନ୍ତ ତାହାର ଏକ କପି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ ପୈଠ କରିବାକୁ ନିର୍ଦ୍ଦେଶ ରହିଛି। ୱାନ ବାର, ୱାନ ଭୋଟ ନିୟମରେ ଚାଲିଛି ଏହି ଭୋଟିଂ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ସହ ସମ୍ପାଦକ ଲାଇବ୍ରେରୀ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀ ପାଇଁ ଚାଲିଛି ମତଦାନ। ପ୍ରଶାସନିକ ଏବଂ ସ୍ଥାନୀୟ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଆସୋସିଏସନଗୁଡ଼ିକୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।