ନୟାଗଡ଼: ଆଜି (ଶନିବାର) ବଡ଼ି ଭୋରରେ ଘଟିଗଲା ଭୟଙ୍କର ଦୁର୍ଘଟଣା। ରାତିର ଅନ୍ଧକାରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟି ପାଞ୍ଚ ଜଣଙ୍କର ଜୀବନ ଚାଲିଯାଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନୟାଗଡ଼ର ପିଠାଖାଇ ଘାଟିରେ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କିଛିଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବିକ “ମା ସିଂଘେଶ୍ୱରୀ” ନାମକ ଘରୋଇ ବସ୍ଟି ବ୍ରହ୍ମପୁରରୁ ୫୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଓ ନୃସିଂହନାଥ ଦର୍ଶନ ପାଇଁ ଯାଉଥିଲା। ଶୁକ୍ରବାର ରାତିରେ ନୟାଗଡର ଦଶପଲ୍ଲା ନିକଟ ପିଠାଖାଇ ଘାଟି ଅତିକ୍ରମ ସମୟରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
କିପରି ଘଟିଲା ଦୁର୍ଘଟଣା?
ରାତି ସାଢେ ୧ଟାରୁ ୨ଟା ମଧ୍ୟରେ ଘାଟିର ବୁଲାଣିରେ ଓଭରଟେକ୍ କରିବା ବେଳେ ବସ୍ ନିୟନ୍ତ୍ରଣ ହାରାଇ ଦୁର୍ଘଟଣା ଘଟିଥିବା ଆହତମାନେ କହିଛନ୍ତି। ଡ୍ରାଇଭର ମଦ୍ୟପାନ କରିଥିବା ସନ୍ଦେହ ମଧ୍ୟ ଉଠିଛି, ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ଫାୟାର ସର୍ଭିସ ଓ ୧୦୮ ଆମ୍ବୁଲାନ୍ସ ଟିମ୍ ମିଶି ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ପଠାଇଥିଲେ। ଗୁରୁତର ଆହତମାନଙ୍କୁ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ମୃତକଙ୍କ ପରିଚୟ
ଏହି ମର୍ମାନ୍ତିକ ଦୁର୍ଘଟଣାରେ ଏଲ୍ ହରି ପାତ୍ର ଓ ଲକ୍ଷ୍ମୀ ପାତ୍ର (ଦମ୍ପତି), ସୁପ୍ରଭା ସାହୁ, ସୁମନ୍ତି ସାହୁ ଓ ବସ୍ ଡ୍ରାଇଭର ପ୍ରବୀଣ କୁମାର ସାହୁଙ୍କ ମୃତ୍ୟୁ ହୋଇଛି। ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭରଙ୍କ ଅସାବଧାନତା କିମ୍ବା ମଦ୍ୟପାନ ଦୁର୍ଘଟଣାର କାରଣ କି ନୁହେଁ, ସେନେଇ ତଦନ୍ତ ଚାଲିଛି।
ତୀର୍ଥଯାତ୍ରା ହେଲା ଦୁର୍ଭାଗ୍ୟର ଯାତ୍ରା
“ମାତାରିଣୀ ଟୁରିଷ୍ଟ ଆଣ୍ଡ ଟ୍ରାଭେଲ୍ସ” ଦ୍ୱାରା ଆୟୋଜିତ ୩ ଦିନିଆ ଯାତ୍ରାରେ ୧୧ଟି ପୀଠ ଦର୍ଶନ କରିବାକୁ ବାହାରିଥିବା ଯାତ୍ରୀମାନଙ୍କ ପାଇଁ ଏହି ଯାତ୍ରା ଅଭିଶାପ ହୋଇ ପଡ଼ିଲା।ଆହତଙ୍କ ଚିକିତ୍ସା ଜାରି ରହିଛି ଏବଂ ପରିବାରକୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଛି। ରାସ୍ତାର ଅବସ୍ଥା ଏବଂ ରାତିରେ ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଛି। ଦୁର୍ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି।