ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ବାରିପଦାରେରେ ପ୍ରବଳ ବର୍ଷା ଓ ପବନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ରାତି ୧୦ଟା ବେଳକୁ ପ୍ରବଳ ବର୍ଷା ଓ ଘଡଘଡି ହୋଇଥିଲା। ଏହି ସମୟରେ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାମଦାଶ ହାଁସଦା। ସେ ବାରିପଦାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ସେହିପରି ଖୁଣ୍ଟା ରାସ୍ତାର କଲେଜ ଛକ ନିକଟରେ ଗଛରେ ଧକ୍କାରେ ନଗେନ ମୁର୍ମୁ ନାମକ ଆଉ ଜଣେ ବାଇକ ଆରୋହୀଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ତାଣ୍ଡବ ରଚିଛି କାଳବୈଶାଖୀ। ପିପିଲି ଥାନା ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ଆଳିସ ଗାଁରେ ବର୍ଷା ପବନ କାରଣରୁ ନଡ଼ିଆ ଗଛ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଗନ୍ନାଥ ବେହେରା। ଗାଁ ମନ୍ଦିରରେ ଏକ ଭୋଜି ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୯ଟାରେ ଏହି ଅଘଟଣ ଘଟିଛି। ସେହିପରି କଣାସ, ଡେଲାଙ୍ଗ, ସତ୍ୟବାଦୀରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି। ଘରର ଆଜବେଷ୍ଟସ୍ ଉଡ଼ିଯାଇଥିବା ବେଳେ ବାଇକରୁ ପଡ଼ି ଚାଳକ ମଧ୍ୟ ଆହତ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି।
କେନ୍ଦୁଝର ସହର ଓ ଏହାର ଆଖପାଖରେ ବି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ପବନ ସାଙ୍ଗକୁ ବର୍ଷା, ଘଡ଼ଘଡ଼ି ଓ ବିଜୁଳିଫଳରେ କିଛି ସ୍ଥାନରେ ଲୋକଙ୍କ ଘରର ଛାତ ଉଡ଼ିଯାଇଥିଲା। ପୁରୁଣା ସହରରେ ଲାଗିଥିବା ବନଦୁର୍ଗା ପୂଜା ଟେଣ୍ଟ ଉଡ଼ିଯାଇଥିବା ବେଳେ ଏଠାରେ ମଧ୍ୟ ଗୋଟିଏ ଘରର ଛାତ ଉଡ଼ିଯାଇଛି। ପବନ ଯୋଗୁଁ କିଛି ସ୍ଥାନରେ ଗଛ ପଡି ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। କାଳବୈଶାଖୀ ପବନ ଓ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତଖୁଣ୍ଟି ଉପୁଡିପଡି ଥିବାରୁ ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଥିବା ସୂଚନା ମିଳିଛି।