ପ୍ରଧାନମନ୍ତ୍ରୀ ଶନିବାର ଦିନ ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ସହ ଏହାର କାର୍ଗୋ ଟର୍ମିନାଲକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ଏହାପରେ ସେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଲୋକମାନଙ୍କୁ କହିଥିଲେ, "ନିଜ ମୋବାଇଲ୍ ବାହାର କରି ତାର ଫ୍ଲାସ୍ ଲାଇଟ୍ ଜଳାଇ ଆପଣ ଏହାର ଉଦ୍ଘାଟନ କରନ୍ତୁ। ଏହା ଆପଣଙ୍କର ସମ୍ପତ୍ତି ଏବଂ ଆପଣଙ୍କର ଭବିଷ୍ୟତ।"
ସପା ଏବଂ କଂଗ୍ରେସ ଉପରେ ବର୍ଷିଲେ ମୋଦୀ
ନିଜ ସମ୍ବୋଧନ ସମୟରେ ପିଏମ୍ ମୋଦୀ ବିରୋଧୀ ଦଳଗୁଡ଼ିକ ଉପରେ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲେ। ସେ କଂଗ୍ରେସ ଏବଂ ସପା (ସମାଜବାଦୀ ପାର୍ଟି) ଉଭୟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପିଏମ୍ ମୋଦୀ କହିଛନ୍ତି:
ଆଜି ସାରା ବିଶ୍ୱ ଚିନ୍ତିତ, ପଶ୍ଚିମ ଏସିଆରେ ଏକ ମାସ ହେବ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଯୋଗୁଁ ଅନେକ ଦେଶରେ ଖାଦ୍ୟପେୟ, ଡିଜେଲ ଓ ସାରର ସଙ୍କଟ ଦେଖାଦେଇଛି। ଏଭଳି ସଙ୍କଟ ସମୟରେ ଦେଶକୁ କ୍ଷତି ପହଞ୍ଚାଇବା ଭଳି କଥା କହିବାରୁ ବିରତ ରୁହନ୍ତୁ ।
ସମାଜବାଦୀ ପାର୍ଟି ଉପରେ ଆକ୍ରମଣ କରି ସେ କହିଥିଲେ, "ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ନୋଏଡା ଆସିବାକୁ ଡରୁଥିଲେ। ଗାଦି ଚାଲିଯିବା ଭୟରେ ପୂର୍ବ ସତ୍ତାଧାରୀମାନେ ଏଠାକୁ ଆସୁନଥିଲେ ଏବଂ ନୋଏଡାକୁ ତା’ ଅବସ୍ଥାରେ ଛାଡ଼ି ଦେଇଥିଲେ। ମୋତେ ମଧ୍ୟ ନୋଏଡା ପାଇଁ ଡରାଇ ଦିଆଯାଇଥିଲା। କିନ୍ତୁ ଆଜି ବିଜେପି ସରକାରରେ ସେହି ନୋଏଡା ୟୁପି ବିକାଶର ଏକ ଶକ୍ତିଶାଳୀ ଇଞ୍ଜିନ ସାଜିଛି।"
କଂଗ୍ରେସ ଉପରେ ନିଶାନା
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ସରକାର ଏହି ବିମାନବନ୍ଦରକୁ ଫାଇଲ୍ ତଳେ ଚାପି ରଖିଥିଲେ। ଯେତେବେଳେ କେନ୍ଦ୍ରରେ ଆମ ସରକାର ଆସିଲା, ସେତେବେଳେ ୟୁପିରେ ସପା ସରକାର ୨-୩ ବର୍ଷ କାମ କରିବାକୁ ଦେଲେ ନାହିଁ। କିନ୍ତୁ ଏଠାରେ ବିଜେପି-ଏନଡିଏ ସରକାର ଆସିବା ପରେ ଜେୱର ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ନିର୍ମାଣ ହେଲା ଏବଂ ଏବେ ଏହା କାର୍ଯ୍ୟକ୍ଷମ ମଧ୍ୟ ହୋଇଛି।
ଦେଶରେ ୧୬୦ରୁ ଅଧିକ ବିମାନବନ୍ଦର
ପିଏମ୍ ମୋଦୀ ଆହୁରି ମଧ୍ୟ କହିଛନ୍ତି:
• ୨୦୧୪ ପୂର୍ବରୁ ଦେଶରେ କେବଳ ୭୪ଟି ବିମାନବନ୍ଦର ଥିଲା, ଯାହା ଆଜି ୧୬୦ରୁ ଅଧିକ ହୋଇଛି।
• ଏବେ ମହାନଗର ବ୍ୟତୀତ ଛୋଟ ଛୋଟ ସହରକୁ ମଧ୍ୟ ବିମାନ ସେବା ପହଞ୍ଚୁଛି।
• ପୂର୍ବ ସରକାରମାନେ ଭାବୁଥିଲେ ବିମାନ ଯାତ୍ରା କେବଳ ଧନୀଙ୍କ ପାଇଁ, କିନ୍ତୁ ବିଜେପି ସରକାର ଏହାକୁ ସାଧାରଣ ଭାରତୀୟଙ୍କ ପାଇଁ ସହଜ କରିଦେଇଛନ୍ତି।
• ଆଗକୁ ଦେଶରେ ଆହୁରି ୧୦୦ଟି ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି।