ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ସୁଭଦ୍ରା' ପାଇଁ ପୁଣି ଥରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବରୁ ଆବେଦନ କରିପାରି ନ ଥିଲେ, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଆସନ୍ତା ଏପ୍ରିଲ ୧ ତାରିଖରୁ ନୂତନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଏହି ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଏପ୍ରିଲ୍ ମାସ ଅର୍ଥାତ୍ ଏପ୍ରିଲ ୧ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ହିତାଧିକାରୀମାନେ ଅନଲାଇନ୍ ମାଧ୍ୟମରେ ସୁଭଦ୍ରା ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ୨୧ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କେବଳ ସେହି ମହିଳାମାନେ ହିଁ ଆବେଦନ କରିପାରିବେ, ଯେଉଁମାନେ ପୂର୍ବରୁ ଏହି ଯୋଜନାରେ ପଞ୍ଜୀକରଣ କରିନାହାନ୍ତି। ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇିଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆବେଦନ ପାଇଁ ଫର୍ମ ସମ୍ପୂର୍ଣ୍ଣ ନିଶୁଳ୍କ ମିଳିବ। ଇଚ୍ଛୁକ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର ଓ CDPO କାର୍ଯ୍ୟାଳୟରୁ ଫର୍ମ ସଂଗ୍ରହ କରିପାରିବେ ବୋଲି କୁହାଯାଇଛି।