ରାଉରକେଲା: ମାଓ ସଂଗଠନକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଗୋଟେ ପଟେ ଓଡ଼ିଶାର ରାଉରକେଲାରେ ଜଣେ ସକ୍ରିୟ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ, ଅନ୍ୟପଟେ ଆନ୍ଧ୍ର ପ୍ରଦେଶରେ ଜଣେ ଟପ୍ ମାଓ କମାଣ୍ଡର ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି। ଏହି ଦୁଇଟି ଘଟଣା ଏକ ସମୟରେ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା ପାଇଁ ଏହାକୁ ବଡ଼ ସଫଳତା ଭାବେ ଦେଖାଯାଉଛି।
ରାଉରକେଲାରେ ମହିଳା ମାଓବାଦୀଙ୍କ ସରେଣ୍ଡର
ରାଉରକେଲାରେ ଆଜି ଘଟିଥିବା ଏହି ଘଟଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ମୋଙ୍ଗଡ଼ି ହୁନାଙ୍ଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେ ଦକ୍ଷିଣ ଛୋଟନାଗରା ଗୁରିଲା ସ୍କ୍ୱାଡ୍ର ସକ୍ରିୟ ସଦସ୍ୟ ଥିଲେ ଏବଂ ଗତ ଦୁଇ ବର୍ଷ ଧରି ମାଓ ଗତିବିଧିରେ ଜଡିତ ଥିଲେ। ବିଶେଷକରି, ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ତାଙ୍କ ଭୂମିକା ଥିବା ସୂଚନା ମିଳିଛି।
ପଶ୍ଚିମ ସିଂହଭୂମ୍ର ବସିନ୍ଦା ଥିବା ମୋଙ୍ଗଡ଼ିଙ୍କ ନାମରେ ୪ଟି ମାମଲା ରହିଛି। ଗରିଲା ଦଳରେ ସେ ସକ୍ରିୟ ଭୂମିକା ନେଇଥିବା ସତ୍ୱେ, ଶେଷରେ ସେ ହିଂସାର ପଥ ଛାଡ଼ି ସାଧାରଣ ଜୀବନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ୨ ଲକ୍ଷ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ।
ଆନ୍ଧ୍ରରେ ଟପ୍ କମାଣ୍ଡର ସୋମନ୍ନାଙ୍କ ସରେଣ୍ଡର
ଅନ୍ୟପଟେ, ବିଜୟୱାଡାରେ ମାଓ ସଂଗଠନକୁ ଆଉ ଏକ ଆଘାତ ଲାଗିଛି। ଚେଲୁରୁ ନାରାୟଣ ରାଓ ଓରଫ୍ ସୋମନ୍ନା ନାମକ ଜଣେ ଟପ୍ ମାଓ କମାଣ୍ଡର ଆନ୍ଧ୍ର ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସୋମନ୍ନା ଆନ୍ଧ୍ର-ଓଡ଼ିଶା ସୀମା ଅଞ୍ଚଳରେ କାର୍ଯ୍ୟରତ ଷ୍ଟେଟ୍ କମିଟି ସହ ଜଡିତ ଥିଲେ। ସେ ସେଣ୍ଟ୍ରାଲ ରିଜିଓନାଲ କମିଟିର ୩ୟ କମ୍ପାନୀର କମାଣ୍ଡର ଭାବେ କାମ କରୁଥିଲେ ଏବଂ People's War Group ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଟପ୍ ମାଓ ନେତାମାନଙ୍କ ନିପାତ ପରେ ସେ ନେତୃତ୍ୱ ନେଇ ଆଗକୁ ଆସିଥିଲେ, ଯାହା ତାଙ୍କୁ ସଂଗଠନର ଏକ ମୁଖ୍ୟ ମୁହଁରେ ପରିଣତ କରିଥିଲା।
ମାଓ ସଂଗଠନରେ ଧୀରେ ଧୀରେ ଦୁର୍ବଳତା ଦେଖାଯାଉଛି। ସୁରକ୍ଷା ବଳର ଲଗାତାର ଚାପ, ଆଭ୍ୟନ୍ତରୀଣ ଦ୍ବନ୍ଦ୍ୱ ଓ ସୁଧାର ପ୍ରକ୍ରିୟା ଫଳରେ ଅନେକ ମାଓବାଦୀ ଏବେ ହିଂସା ଛାଡି ମୁଖ୍ୟଧାରାକୁ ଫେରୁଛନ୍ତି।