ନୂଆଦିଲ୍ଲୀ: କୌଣସି ବି ସମ୍ପର୍କ ଭରସା ଏବଂ ଭଲପାଇବା ଉପରେ ତିଷ୍ଠି ରହିଥାଏ। କିନ୍ତୁ ଅନେକ ସମୟରେ ଆମେ ନିଜ ସାଥୀଙ୍କ ଠାରୁ କିଛି ଏଭଳି ଜିନିଷ ଆଶା କରିବସୁ, ଯାହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ମନୋବିଜ୍ଞାନୀମାନଙ୍କ ଅନୁଯାୟୀ, ଅତ୍ୟଧିକ ଆଶା ରଖିବା ଦ୍ୱାରା ପ୍ରେମ ସମ୍ପର୍କରେ ଦୂରତା ବଢିଥାଏ।
ସାଥୀଙ୍କ ଠାରୁ ଏହି ଆଶା ରଖନ୍ତୁ ନାହିଁ:
ସାଥୀ ଆପଣଙ୍କ ମନକଥା ବିନା କହି ବୁଝିଯିବେ: ଅନେକ ଲୋକ ଭାବନ୍ତି ଯେ ଯଦି ସେମାନଙ୍କ ସାଥୀ ସେମାନଙ୍କୁ ଭଲ ପାଉଛନ୍ତି, ତେବେ ସେମାନେ ମନର ସବୁ କଥା ବିନା କହି ବୁଝିଯିବା ଉଚିତ୍। କିନ୍ତୁ ଏହା ଏକ ବଡ଼ ଭୁଲ୍। କଥା ନହେବା ଯାଏଁ ସାମନା ବାଲା ଆପଣଙ୍କ ସମସ୍ୟା ବୁଝିବା କଷ୍ଟକର।
ସବୁବେଳେ ସାଥୀ ଆପଣଙ୍କ ସହ ସମୟ ବିତାଇବେ: ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଏକ ବ୍ୟକ୍ତିଗତ ସ୍ଥାନ ଦରକାର। ସାଥୀ ୨୪ ଘଣ୍ଟା ଆପଣଙ୍କ ସହ ରହିବେ କିମ୍ବା ଆପଣଙ୍କୁ ସମୟ ଦେବେ, ଏଭଳି ଆଶା ରଖିବା ଦ୍ୱାରା ସାଥୀଙ୍କୁ ଶ୍ୱାସରୁଦ୍ଧ ଅନୁଭବ ହୋଇପାରେ।
ସାଥୀ ନିଜକୁ ସମ୍ପୂର୍ଣ୍ଣ ବଦଳାଇ ଦେବେ: ସମ୍ପର୍କରେ ଆସିବା ପରେ ସାଥୀଙ୍କୁ ନିଜ ଇଚ୍ଛା ଅନୁସାରେ ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସେ ଯେମିତି ଅଛନ୍ତି ତାଙ୍କୁ ସେମିତି ଗ୍ରହଣ କରିବା ହିଁ ପ୍ରକୃତ ଭଲପାଇବା।
ସାଥୀଙ୍କର କୌଣସି ଅନ୍ୟ ସମ୍ପର୍କ କିମ୍ବା ବନ୍ଧୁ ରହିବେ ନାହିଁ: ସାଥୀ କେବଳ ଆପଣଙ୍କ ସହ କଥା ହେବେ କିମ୍ବା ଅନ୍ୟମାନଙ୍କ ଠାରୁ ଦୂରେଇ ରହିବେ, ଏଭଳି ଚିନ୍ତାଧାରା ସମ୍ପର୍କରେ ଅସୁରକ୍ଷିତ ମନୋଭାବ ସୃଷ୍ଟି କରିଥାଏ। ବନ୍ଧୁ ଏବଂ ପରିବାର ସହ ସମ୍ପର୍କ ରଖିବା ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
ସାଥୀ ସବୁବେଳେ ଆପଣଙ୍କ ସହ ସହମତ ହେବେ: ଦୁଇଜଣ ବ୍ୟକ୍ତିଙ୍କ ମତାମତ ଭିନ୍ନ ହୋଇପାରେ। ସବୁ କଥାରେ ସାଥୀ ହଁ ରେ ହଁ ମିଳାଇବେ ବୋଲି ଆଶା କରିବା ଦ୍ୱାରା ଯୁକ୍ତିତର୍କ ବଢିଥାଏ।
ତେଣୁ ଏହି ପାଂଚଟି କଥାକୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। କେବେ ମଧ୍ୟ ଏହି ବିଷୟରେ ଅଧିକ ଆଶା କରନ୍ତୁ ନାହିଁ। କାରଣ ବୁଦ୍ଧଙ୍କ ଅନୁସାରେ ଆଶା ହିଁ ଦୁଃଖର କାରଣ।