ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଏବେ ସିଧାସଳଖ ମୋର୍ଚ୍ଚା ଖୋଲିଛି କଂଗ୍ରେସ। ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଓ କଟକଣାକୁ ନେଇ ସିଜେଆଇ ଦେଇଥିବା ଏକ ବକ୍ତବ୍ୟକୁ ଭିତ୍ତି କରି ଦଳ ତାଙ୍କର ଇସ୍ତଫା ଦାବି କରିଛି। କଂଗ୍ରେସ କହିଛି ଯେ, ଯଦି ଦେଶରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବା ତାଙ୍କ ପରିସରଭୁକ୍ତ ନୁହେଁ, ତେବେ ସେ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ, ଦଳ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ବାଛିନେବ।
ସୋସିଆଲ ମିଡିଆରେ କଂଗ୍ରେସର କଠୋର ଆଭିମୁଖ୍ୟ
ଦିଲ୍ଲୀରେ ହୋଇଥିବା ବିରୋଧ ପ୍ରଦର୍ଶନ ଓ କଟକଣା ପ୍ରସଙ୍ଗରେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଯେ ଆଇନ-ଶୃଙ୍ଖଳା ପରିସ୍ଥିତି ତାଙ୍କର ଅଧିକାର କ୍ଷେତ୍ର ଅଧୀନକୁ ଆସୁନାହିଁ। ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ କେରଳ କଂଗ୍ରେସ ନିଜର ଅଫିସିଆଲ 'ଏକ୍ସ' ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଲେଖିଛି "ପ୍ରିୟ ସୂର୍ଯ୍ୟକାନ୍ତ, ଯଦି ଆଇନ-ଶୃଙ୍ଖଳା ସମ୍ଭାଳିବା ଆପଣଙ୍କ କଥା ନୁହେଁ, ତେବେ ଏବେ ହିଁ ଇସ୍ତଫା ଦିଅନ୍ତୁ। ଆମେ ଆପଣଙ୍କ ବଦଳରେ ଏହାକୁ ସମ୍ଭାଳିପାରୁଥିବା ଅନ୍ୟ ଜଣଙ୍କୁ ଖୋଜିନେବୁ।"
ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ ମନା କରିଥିଲେ ସିଜେଆଇ
ଅନ୍ୟପଟେ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସମ୍ପର୍କିତ ଦାବି ଓ ସାମ୍ପ୍ରତିକ ସ୍ଥିତିକୁ ନେଇ 'ଇଣ୍ଡିଆ' ମେଣ୍ଟର ଶୀର୍ଷ ନେତାମାନେ ସିଜେଆଇଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଥିଲେ। ମାତ୍ର ସିଜେଆଇ ସୂର୍ଯ୍ୟକାନ୍ତ ସେମାନଙ୍କୁ ଭେଟିବାକୁ ଅସମର୍ଥତା ପ୍ରକାଶ କରି ଚିଠି ଲେଖିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ବିଚାରାଧୀନ ମାମଲାଗୁଡ଼ିକ ଉପରେ ଆଲୋଚନା ପାଇଁ ସାକ୍ଷାତ କରିବା ସମ୍ବିଧାନର ନୀତି ବିରୁଦ୍ଧ ଓ ନ୍ୟାୟିକ ମର୍ଯ୍ୟାଦାର ବିରୋଧୀ। କୋର୍ଟଙ୍କ ପାଖରେ କୌଣସି ପ୍ରଶାସନିକ କ୍ଷମତା ନାହିଁ, ବରଂ ନିୟମାନୁସାରେ ଆଗତ ଆବେଦନ ଉପରେ ନ୍ୟାୟିକ ଶୁଣାଣି ମାଧ୍ୟମରେ ହିଁ ନିଷ୍ପତ୍ତି ନିଆଯାଇପାରିବ।