ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସହ ଜଡିତ ଚାକିରି ବଦଳରେ ନଗଦ ଦୁର୍ନୀତି ମାମଲାରେ ଶୁଣାଣି କରିଛନ୍ତି । ଏହି ଘୋଟାଲାରେ ଦୁଇ ହଜାରରୁ ଅଧିକ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଯିବା ନେଇ ତାମିଲନାଡୁ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହା ସହିତ ସମସ୍ତ ଅଭିଯୁକ୍ତ ଓ ସାକ୍ଷୀଙ୍କ ତଥ୍ୟ ମାଗିଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ କହିଛନ୍ତି, ଯଦି ନ୍ୟାୟପାଳିକା ହସ୍ତକ୍ଷେପ କରି ନ ଥାନ୍ତେ ତେବେ ତେବେ ନଗଦ ବଦଳରେ ଚାକିରି ଦୁର୍ନୀତି ସଂପର୍କିତ ମାମଲାକୁ ଦବାଇ ଦେଇଥାନ୍ତେ ।
ଅଭିଯୁକ୍ତ ପକ୍ଷରୁ ହାଜର ବରିଷ୍ଠ ଆଡଭୋକେଟ୍ ଗୋପାଳ ଶଙ୍କରନାରାୟଣଙ୍କ ତର୍କ ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ୨୦୦୦ରୁ ଅଧିକ ଅଭିଯୁକ୍ତ ଓ ୫୦୦ ସାକ୍ଷୀ ହେବା କାରଣରୁ ଏହା ଦେଶର ସବୁଠୁ ଅଧିକ ଭିଡ ଥିବା ମୋକଦ୍ଦମା ହେବ । ଏହି ମାମଲାର ଶୁଣାଣି ପାଇଁ ନ୍ୟାୟାଳୟଙ୍କ ଛୋଟ କକ୍ଷ ପର୍ଯ୍ୟାପ୍ତ ହେବ ନାହିଁ । ସମସ୍ତ ଅଭିଯୁକ୍ତଙ୍କ ଉପସ୍ଥିତି ପାଇଁ ଏକ କ୍ରିକେଟ୍ ଷ୍ଟାଡିୟମର ଆବଶ୍ୟକତା ରହିଛି । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ଯେବେ କୌଣସି ମାମଲାରେ ଏକ ଶକ୍ତିଶାଳୀ ମନ୍ତ୍ରୀ ଓ ଧନୀ ଲୋକ ଅଭିଯୁକ୍ତ ହୁଅନ୍ତି, ଏମିତି ଧାରଣା ସୃଷ୍ଟି ହୁଏ ଯେ, ଏକାକୀ ସରକାରୀ ପକ୍ଷ ନ୍ୟାୟ କରି ପାରିବ ନାହିଁ ।
ଉଚ୍ଚତମ ନ୍ୟାୟାଳୟ ମଙ୍ଗଳବାର ତାମିଲନାଡୁ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ଚାକିରି ବଦଳରେ ନଗଦ ଦୁର୍ନୀତି ମାମଲାରେ ରାଜ୍ୟ ସରକାର ୨୦୦୦ରୁ ଅଧିକ ଲୋକଙ୍କୁ ଅଭିଯୁକ୍ତ ବନାଇ ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସୁପ୍ରିମକୋର୍ଟ ଏହି ଉଦ୍ୟମକୁ ନ୍ୟାୟିକ ପ୍ରଣାଳୀ ସହ ଧୋକା ହେଉଥିବା କହିଛନ୍ତି ।