ଭୁବନେଶ୍ୱର: ଚାଷୀଙ୍କ ପାଇଁ ବଡ଼ ଖବର। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏକାଧିକ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭୬ ଲକ୍ଷ ୮୪ ହଜାର ୪୯୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇ ସାରିଛି। ପ୍ରାୟ ୧୮ ଲକ୍ଷ ୫୫ ହଜାର ପଞ୍ଜୀକୃତ ଚାଷୀ ନିଜ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କ ଆକାଉଣ୍ଟକୁ ୨୨,୪୦୦ କୋଟି ଟଙ୍କା ପଠାଯାଇଛି । ଚଳିତ ସିଜିନରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ସ୍ଥିତିକୁ ଦେଖି ଅବଧି ଆଉ ୨ ଦିନ ବଢ଼ିବା ସମ୍ଭାବନା ରହିଛି। ମାତ୍ର ଏହି ଅବଧି ବୃଦ୍ଧି ଚାଷୀଙ୍କ ସମସ୍ୟାର ସମାଧାନ କରିବ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ।
ଅନ୍ୟପକ୍ଷେ,ବିଭିନ୍ନ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା ଓ ବଳକା ଧାନ ନେଇ ଚାଷୀମାନେ ଚିନ୍ତାରେ। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ଆନ୍ଦୋଳନ କରାଯାଇଛି। ଶତାଧିକ ଚାଷୀ ଟ୍ରାକ୍ଟର ଓ ଅଟୋରେ ଧାନ ବସ୍ତା ଭରି ରାସ୍ତାରେ ବସିରହିଛନ୍ତି, ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ସହ ବସି ପ୍ରତିବାଦ କରିଛନ୍ତି। ସେମାନଙ୍କର ମୁଖ୍ୟ ଦାବି ରହିଛି -
- ବଳକା ଧାନ କିଣନ୍ତୁ
- ଟୋକନ ଲାପ୍ସ ଧାନ ଗ୍ରହଣ କରନ୍ତୁ
- ଭାଗଚାଷୀଙ୍କ ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ