ନୟାଗଡ଼: ଦୁର୍ନୀତିର ଦାମ ୩ ହଜାର ଟଙ୍କା। ଭିଜିଲାନ୍ସ ଆକ୍ସନ୍ରେ ଏଭଳି ଏକ ବଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ପେନସନ୍ ଭଳି ସେନସିଟିଭ୍ ସେବାରେ ମଧ୍ୟ ଦୁର୍ନୀତିର କଳା ଛାୟା ପଡ଼ିଥିବା ଘଟଣା ଆଉଥରେ ପ୍ରମାଣିତ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ-ଟ୍ରେଜେରୀର ବରିଷ୍ଠ ସହାୟକ ସରୋଜ କୁମାର ସାହୁ।
ଲାଞ୍ଚ ନେଉଥିବା ବେଳେ ଧରାପଡିଲେ
ଓଡିଶା ଭିଜିଲାନ୍ସର ଏକ ଟିମ୍ ଆଜି ଏକ ସୁଚିନ୍ତିତ ଅଭିଯାନ ଚାଲାଇ ସରୋଜ କୁମାର ସାହୁଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି। ଜଣେ ପେନସନଭୋଗୀଙ୍କ ଫାଇଲ୍ ପାସ୍ କରାଇବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପେନସନଭୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ହଠାତ୍ ଚଢ଼ାଉ କରି ସେଠାରେ ତାଙ୍କୁ ଗିରଫ କରିଥିଲା। ତାଙ୍କ ହାତରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।
“ଲାଞ୍ଚ ନଦେଲେ ବିଲ୍ ପାସ୍ ହେବନି”
ଅଭିଯୋଗ ଅନୁଯାୟୀ, ସରୋଜ ସାହୁ ପେନସନଭୋଗୀଙ୍କୁ ସ୍ପଷ୍ଟ କରି କହିଥିଲେ ଯେ, “ଲାଞ୍ଚ ଦିଅନ୍ତୁ, ନହେଲେ ବିଲ୍ ପାସ୍ କରିବିନି।” ଏହି ଧମକ ପରେ ପେନସନଭୋଗୀ ସିଧାସଳଖ ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଟିମ୍ ଯୋଜନାମୂଳକ ଭାବେ ଟ୍ରାପ୍ କରି ତାକୁ ଧରିଛି ।
ଘର ସହ ଦୁଇଟି ସ୍ଥାନରେ ଚଢ଼ାଉ
ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ସରୋଜ ସାହୁଙ୍କ ନିଜ ଘର ସମେତ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ତାଙ୍କ ଆୟରୁ ଅଧିକ ସମ୍ପତ୍ତି ଥିବା ସନ୍ଦେହରେ ତଦନ୍ତ ଚାଲିଛି।
ବଢ଼ୁଛି ଦୁର୍ନୀତି ବିରୋଧୀ ଆକ୍ସନ୍
ଗତ କିଛି ଦିନ ଧରି ଭିଜିଲାନ୍ସ ପକ୍ଷରୁ ଏପରି ଲାଞ୍ଚ ମାମଲାରେ କଠୋର ପଦକ୍ଷେପ ନିଆଯାଉଛି। ସରକାରୀ କାର୍ଯ୍ୟାଳୟରେ ପାରଦର୍ଶିତା ଆଣିବାକୁ ଏହି ଅଭିଯାନକୁ ଆହୁରି ତୀବ୍ର କରାଯାଉଛି।