ଭୁବନେଶ୍ୱର: ସରକାର ଯେତେ ତାଗିଦ କଲେ ମଧ୍ୟ ସରକାରୀ ବାବୁ ସୁଧୁରିବାରେ ନାଁ ଧରୁ ନାହାଁନ୍ତି । ବିଗତ ଏକ ବର୍ଷ ମଧ୍ୟରେ ୨୩୦ ଜଣ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀରେ ସୋମବାର ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ।
ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ୧ ଏପ୍ରିଲ, ୨୦୨୫ଠାରୁ ୩ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟରେ ୨୩୦ ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୨ ଜଣ ପ୍ରଥମ ଶ୍ରେଣୀ ଏବଂ ୪୧ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି ।
ଏକ ବର୍ଷ ମଧ୍ୟରେ ୨୦୬ଟି ମାମଲାର ବିଚାର ଶେଷ ହୋଇଛି । ସେଥିମଧ୍ୟରୁ ୧୦୨ ଜଣଙ୍କ ଦୋଷୀ ସାବ୍ୟସ୍ତ କରାଯାଇଛି ଓ ୨୩ ଜଣଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି ।
ସେହିଭଳି ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଭିଜିଲାନ୍ସ ଚଢାଉ ସମୟରେ ୧୦ କୋଟି ୨୭ ଲକ୍ଷ ୨୧ ହଜାର ୯୭୩ ନଗଦ ଟଙ୍କା ଜବତ କରାଯାଇଛି । ଏହା ଛଡା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪.୭୬ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତି କରାଯାଇଛି ।