ଭୁବନେଶ୍ୱର: ଭୋଟର ତାଲିକାରେ ଚାଲୁଥିବା ଅନିୟମିତତା ଓ ଜାଲିଆତିକୁ ନେଇ ଆସିଛି ଏକ ବଡ଼ ଖବର। ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା। ନିର୍ବାଚନ ଅଧିକାରୀ ଏହାର ଖୁଲାସା କରିଛନ୍ତି। ଏଥିପାଇଁ ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଛନ୍ତି ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବୋଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରୁ ଆସିଛି ଏଭଳି ସାଂଘାତିକ ତଥ୍ୟ।
ଭୋଟର ତାଲିକା ସଂପର୍କୀତ ପ୍ରଶ୍ନ ବିଧାନସଭାରେ ପଚାରିଥିଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଏକାଧିକ ସ୍ଥାନରେ ଭୋଟ ପରିଚୟ ପତ୍ରରେ ରଖିଥିଲେ ଏକ ଲକ୍ଷ ୫୫ ହଜାର ୩୧୮ ବ୍ୟକ୍ତି। ସଂଶୋଧନ ପ୍ରକ୍ରିୟାରୁ ବାଦ୍ ଦିଆଯାଇ ନୂଆ ଭୋଟର ତାଲିକାକୁ ସ୍ୱଚ୍ଛ କରାଯାଇଛି।
କାହିଁକି ବାଦ୍ ପଡ଼ିଲେ ଏତେ ଭୋଟର?
ଗତ ବର୍ଷ ୬ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର, ସ୍ଥାନାନ୍ତର ଲାଗି ୪ ଲକ୍ଷ ୦୮ ହଜାର ୧୩୨ ଭୋଟର ଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ୍ ପଡ଼ିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି।
ତେବେ ସର୍ବାଧିକ ବାଦ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼। ସୁନ୍ଦରରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମ ଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ ପଡ଼ିଛନ୍ତି। ୧.୫୫ ଲକ୍ଷରୁ ଅଧିକ ଲୋକ ଏକାଧିକ ସ୍ଥାନରେ ଭୋଟର ID ରଖିଥିଲେ। ଏହା ଭୋଟର ଜାଲିଆତିର ଏକ ସ୍ପଷ୍ଟ ପ୍ରମାଣ ଭାବେ ଦେଖାଯାଉଛି।