ଭୁବନେଶ୍ୱର: ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁରେ ମୋବାଇଲ୍ ନେଟୱାର୍କ ପହଁଚିବ । ସୋମବାର ଗୃହରେ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।
ବିଜେଡ଼ି ବିଧାୟକ ସାରଦା ପ୍ରସନ୍ନ ଜେନା ରାଜ୍ୟରେ ୧୨୩୭ ଗ୍ରାମରେ ମୋବାଇଲ୍ ନେଟୱାର୍କ ପହଁଚି ନଥିବା କହିଥିଲେ । ଏହି ଗ୍ରାମଗୁଡ଼ିକୁ କେବେ ମୋବାଇଲ୍ ନେଟୱାର୍କ ସଂଯୋଗ ହେବ ବୋଲି ପ୍ରଶ୍ନ କରିଥିଲେ । ଏଥିପାଇଁ ଡିଜିଟାଲ୍ ଭାରତ ନିଧି (ଡିବିଏନ୍) ଯୋଜନାରେ ସରକାର କେତେ ଅର୍ଥ ଯୋଗାଇ ଦେଇଛନ୍ତି ଏବଂ କେଉଁ କାମ ହାତକୁ ନିଆଯାଇଛି ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସୂଚନା ମୁତାବକ, ରାଜ୍ୟର ମୋଟ ୫୧ ହଜାର ୧୭୬ଟି ଗ୍ରାମ ମଧ୍ୟରୁ ବର୍ତ୍ତମାନ ୪୯ ହଜାର ୯୩୯ଟି ଗ୍ରାମରେ ମୋବାଇଲ୍ ସେବା ଉପଲବ୍ଧ ଅଛି । ଅବଶିଷ୍ଟ ୧,୨୩୭ଟି ଗ୍ରାମଗୁଡ଼ିକୁ ଭାରତ ସରକାର ଡିଜିଟାଲ୍ ଭାରତ ନିଧି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମୋବାଇଲ୍ ସେବା ଯୋଗାଇବା ନିମନ୍ତେ କାର୍ୟ୍ୟ ଜାରି ରହିଛି । ଡିବିଏନ୍ ମାଧ୍ୟମରେ ତିନୋଟି ପ୍ରକଳ୍ପର କାର୍ୟ୍ୟ ଚାଲୁଛି । ୪ଜି ସାଚୁରେସନ୍ (ବିଏସ୍ଏନ୍ଏଲ୍) ପ୍ରକଳ୍ପ କାମ ୨୦୨୨ ଜୁଲାଇରୁ ଜାରି ରହିଛି । ଏଥିରେ ୧୪୭୭.୯୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ଆସ୍ପିରେସନାଲ୍ (ବିଏସ୍ଏନ୍ଏଲ୍) କାମ ମେ ୨୦୨୨ରୁ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ବାବଦକୁ ୧୬୫୬.୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଏଲଡବ୍ଲ୍ୟୁଇ-୨ (ଆରଜିଓ) ଅକ୍ଟୋବର ୨୦୨୧ରୁ ଜାରି ରହିଛି । ଏହି ପ୍ରକଳ୍ପରେ ୩୫୦.୯୪ କୋଟି ଟଙ୍କା ଖର୍ଚ୍ଚ ହେବ ।