ଭୋଗରାଇ: ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଭେଣ୍ଡିଆ ପୁଅ ନିଖୋଜ । ପୁଅର କୌଣସି ଖୋଜ ଖବର ନ ପାଇ ଆଶା ଆଶଙ୍କାରେ ପରିବାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଁଥିଭଉଁରୀ ଗ୍ରାମରୁ ଏଭଳି ଖବର ଆସିଛି । ଏ ନେଇ ପରିବାର ଥାନାର ଦ୍ୱାରସ୍ଥ ହୋଇଛି ।
ଭୋଗରାଇ ବ୍ଲକ ଅନ୍ତର୍ଗତ କାନ୍ଥିଭଉଁରୀ ପଞ୍ଚାୟତର କାନ୍ଥିଭଉଁରୀ ଗ୍ରାମର ବାବୁରାମ କୁଅଁରଙ୍କ ପୁଅ ଅଜିତ କୁଅଁର ଜଳସୋହରିଆ ଗ୍ରାମର ଜଣେ ଦଲାଲ ବାପି ସାହୁଙ୍କ ପ୍ରଲୋଭନରେ ଆସି ଦାଦନ ଖଟିବାକୁ ଯାଇଥିଲେ । ଅଜିତ ପଶ୍ଚିମବଙ୍ଗର ପୁରିଳିଆ ଜିଲ୍ଲା ଅନ୍ତର୍ଗତ ଜାମକିରି ଅଂଚଳରେ ଏକ କୁକୁଡ଼ା ଫାର୍ମରେ କାମ କରିବାକୁ ଯାଇଥିଲେ । ମାତ୍ର ଅଜିତ ଯିବାର ୧୮ ଦିନ ହେଲାଣି ତାଙ୍କର କୌଣସି ଖୋଜ ଖବର ନାହିଁ । ପରିବାର ଲୋକେ ଯେତେ ଫୋନ୍ କଲେ ବି ଅଜିତଙ୍କ ସହିତ ଯୋଗାଯୋଗ ହୋଇ ପାରୁନାହିଁ । ଏପଟେ ନିଖୋଜ ଖବର ଶୁଣି ସ୍ତ୍ରୀ, ମାଆ ଓ ୩ ଜଣ ନାବାଳିକା ଝିଅ ଘରେ ଅପେକ୍ଷା କରି ଚିନ୍ତାରେ ଦିନ ଗଣୁଛନ୍ତି ।
ପରିବାର ଲୋକ ପୁଅକୁ ଖୋଜିବାକୁ ପଶ୍ଚିମବଙ୍ଗ ଯାଇଥିଲେ । ବାଙ୍କୁଡ଼ା ଅଞ୍ଚଳରେ 6 ଦିନ ଧରି ଖୋଜାଖୋଜି କରିବାରେ ବହୁ ଟଙ୍କା ଖର୍ଚ୍ଚ କରି କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଘରକୁ ଫେରିଥିଲେ । ସବୁଆଡୁ ନିରାଶ ହେବା ପରେ ସ୍ୱାମୀକୁ ନପାଇ ସ୍ତ୍ରୀ ପିକଲୁ ଚନ୍ଦନେଶ୍ୱର ଫାଣ୍ଡିରେ ଠିକାଦାର ବାପି ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହିତ ସ୍ୱାମୀକୁ ଖୋଜି ବାହାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି l ସେହିଭଳି ନିଖୋଜ ଥିବା ଅଜିତର ବୃଦ୍ଧା ମା ତୁଳସୀ କୁଅଁର ପଶ୍ଚିମବଙ୍ଗ ଜାମକିରି ଥାନା ଓ ଚନ୍ଦନେଶ୍ୱର ଫାଣ୍ଡିରେ ନିଖୋଜ ପୁଅକୁ ଉଦ୍ଧାର କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି l ହେଲେ ଆଜିକୁ ୧୮ଦିନ ବିତିବା ପରେ ମଧ୍ୟ ଅଜିତଙ୍କ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଏବଂ ଗ୍ରାମବାସୀ ଭୋଗରାଇ ଥାନାକୁ ଆସିଛନ୍ତି । ଅଜିତଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କ ରେ ପୋଲିସ ର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।