ଭୁବନେଶ୍ୱର: କଟକରୁ ଭୁବନେଶ୍ୱରକୁ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ପ୍ରବଳ ବିରୋଧ କରିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କାହା ସ୍ୱାର୍ଥରେ କଟକକୁ ଶ୍ରୀହୀନ କରିବାକୁ ଚେଷ୍ଟା କରାଯାଉଛି ବୋଲି ଗୃହରେ ପ୍ରଶ୍ନ ଉଠାଇଛନ୍ତି ସୋଫିଆ ।
କଟକରେ ଥିବା ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) କାର୍ଯ୍ୟାଳୟକୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ କେନ୍ଦ୍ର କରି ବିଧାୟିକା ବାଚସ୍ପତିଙ୍କ ମାଧ୍ୟମରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ପଷ୍ଟୀକରଣ ମାଗିଛନ୍ତି । କିଛି ଅଧିକାରୀଙ୍କ ସୁବିଧା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । କେବଳ କିଛି ଜଣ ଅଧିକାରୀ ଭୁବନେଶ୍ୱରରୁ କଟକକୁ ଯିବାକୁ ଚାହୁଁ ନାହାଁନ୍ତି, ସେଥିପାଇଁ ଏଭଳି ଚକ୍ରାନ୍ତ କରାଯାଉଛି । କଟକ ଶ୍ରୀହୀନ କରିବାକୁ ପୂର୍ବ ସରକାର ଯେଉଁ ଚକ୍ରାନ୍ତ ଚଳାଇ ଆସିଥିଲେ ତାହା ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ଆଗକୁ ଆଉ ଗୋଟିଏ ବି ସରକାରୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ । ତେଣୁ ଏହାର ପ୍ରବଳ ବିରୋଧ କରାଯିବ । କଟକବାସିନ୍ଦା କେବେବି ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।