ନୂଆଦିଲ୍ଲୀ: ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧକୁ ମାସେ ବିତିଗଲାଣି। ହେଲେ ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଇରାନ ସହିତ ଆଲୋଚନା ଜାରି ରଖିଛନ୍ତି। କିନ୍ତୁ ଇରାନ ଟ୍ରମ୍ପଙ୍କ ଏମିତି ବୟାନକୁ ପ୍ରତ୍ୟାଖ୍ୟାନ କରି ଚାଲିଛି। ଏହା ମଧ୍ୟରେ ସୋମବାର ଟ୍ରମ୍ପ ଇରାନକୁ ଏକ ଚରମବାଣୀ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଶୀଘ୍ର ଏକ ଚୁକ୍ତିରେ ପହଞ୍ଚି ହରମୁଜ ପ୍ରଣାଳୀକୁ ନ ଖୋଲେ ତେବେ ଏହାର ଶକ୍ତି କେନ୍ଦ୍ର, ତୈଳ କୂପ ଏବଂ ଖାର୍ଗ ଦ୍ଵୀପକୁ ବୋମା ମାଡ଼ କରି ସମ୍ପୂର୍ଣ୍ଣ ଧ୍ଵଂସ କରି ଦେବ।
ଟ୍ରମ୍ପଙ୍କ ଏହି ଚରମବାଣୀ ଏପରି ସମୟରେ ଆସିଛି ଯେତେବେଳେ ୟେମେନର ହୁତି ବିଦ୍ରୋହୀମାନେ ମଧ୍ୟ ଇରାନ ସହିତ ଯୁଦ୍ଧକୁ ଡେଇଁଛନ୍ତି। ହର୍ମୁଜ ପ୍ରଣାଳୀ ପରେ, ବାବ ଅଲ-ମାଣ୍ଡେବ ପ୍ରଣାଳୀ ମଧ୍ୟ ବିପଦରେ ଅଛି। ପୂର୍ବରୁ ଟ୍ରମ୍ପ ଏପ୍ରିଲ ୬ ସୁଦ୍ଧା ଇରାନ ଶକ୍ତି କେନ୍ଦ୍ର ଉପରେ ବୋମା ମାଡ଼ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଖାର୍ଗ ଦ୍ୱୀପ ଦଖଲ କରିବାକୁ ନିଜ ମନର କଥା କହିଲେ ଡୋନାଲ୍ଡ ଟ୍ରମ୍ପ
ଏବେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ନୂଆ ପୋଷ୍ଟରେ ଇରାନକୁ ଏକ ଚରମ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଧମକ ଦେଇଛନ୍ତି ଯେ ଯଦି ଚୁକ୍ତି ନ ହୁଏ, ତେବେ ଇରାନକୁ ଧ୍ୱଂସ କରିଦିଆଯିବ। ତଥାପି, ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ ଇରାନ ସହିତ ବୁଝାମଣା ନେଇ ଆଲୋଚନା ଚାଲିଛି।
କ’ଣ କହିଛନ୍ତି ଟ୍ରମ୍ପ ?
ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଗମ୍ଭୀର ଆଲୋଚନା କରୁଛି। ଏଥିରେ ଯଥେଷ୍ଟ ଅଗ୍ରଗତି ହୋଇଛି, କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ବୋମାମାଡ଼ କରି ସେଠାକାର ସମସ୍ତ ଶକ୍ତି କେନ୍ଦ୍ର, ତୈଳ କୂପ, ଖର୍ଗ ଦ୍ୱୀପ ଏବଂ ସମ୍ଭବତଃ ଜଳ ଡିସାଲିନେସନ୍ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ବନ୍ଦ କରି ଦିଆଯିବ।