ନୂଆଦିଲ୍ଲୀ: ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ କେତେ ଦିନ ଚାଲିବ, ତାହା କେହି ଜାଣନ୍ତି ନାହିଁ। ତେବେ ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଇରାନକୁ ଅନେକ ସ୍ଥାନରୁ ଭଲ ସମର୍ଥନ ମିଳୁଛି। ଭାରତରେ ମଧ୍ୟ କଶ୍ମୀରରୁ ନେଇ କେରଳ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକ ଇରାନକୁ ସମର୍ଥନ କରୁଛନ୍ତି। କେବଳ ସେତିକି ନୁହେଁ, ଲୋକେ ଇରାନ ଦୂତାବାସକୁ ଯଥାସମ୍ଭବ ସାହାଯ୍ୟ ମଧ୍ୟ ପଠାଉଛନ୍ତି। କେହି ଦାନ ଆକାରରେ ସହଯୋଗ କରୁଛନ୍ତି ତ କେହି ବିଶେଷ ସନ୍ଦେଶ ଜରିଆରେ ଏହି ଯୁଦ୍ଧକାଳୀନ ପରିସ୍ଥିତିରେ ସମବେଦନା ଜଣାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦିଲ୍ଲୀସ୍ଥିତ ଇରାନ ଦୂତାବାସ ବାହାରେ ଦେଖିବାକୁ ମିଳିଥିଲା, ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିବା ସରୱର ନାମକ ଜଣେ ବାଳକ ସେଠାରେ ପହଞ୍ଚିଥିଲା।
ମୁଜାଫରନଗରରୁ ଇରାନ ଦୂତାବାସ ପହଞ୍ଚିଲା ସରୱର:
ଉତ୍ତର ପ୍ରଦେଶର ମୁଜାଫରନଗରରୁ ସରୱର କିଛି ଲୋକଙ୍କ ସହ ଶନିବାର ଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ପହଞ୍ଚିଥିଲା। ସେ ନିଜ ସହ ଏକ କ୍ଷୁଦ୍ର ଭେଟି ମଧ୍ୟ ଆଣିଥିଲା। ଇରାନର ମୀନାବ ସ୍କୁଲ ଉପରେ ହୋଇଥିବା ଆକ୍ରମଣର ଏକ ମାସ ପରେ ଏକତା ପ୍ରଦର୍ଶନ କରିବା ପାଇଁ ଏହି ସମସ୍ତ ଲୋକ ଏମ୍ବାସିରେ ପହଞ୍ଚିଥିଲେ। ଏହି ଆକ୍ରମଣରେ କଥିତ ଭାବେ ଅତିକମରେ ୧୭୦ ସ୍କୁଲ ପିଲା ଏବଂ ଶିକ୍ଷକ ପ୍ରାଣ ହରାଇଥିଲେ। ଯେତେବେଳେ ସରୱରକୁ ଦୂତାବାସ ଆସିବାର କାରଣ ପଚରାଗଲା, ସେ ପ୍ରଥମେ ଟିକେ ସଙ୍କୋଚ କରୁଥିବା ଜଣାପଡିଥିଲା। କିଛି କହିବା ପୂର୍ବରୁ ସେ ନିଜ ପିତାଙ୍କ ଆଡକୁ ଚାହିଁଥିଲା ଏବଂ ତା’ପରେ ଧୀର ସ୍ୱରରେ କହିଥିଲା।
ମୁଁ ମୋ 'ରହବର'ଙ୍କୁ... ଇରାନ ଯୁଦ୍ଧ ଉପରେ କହିଲା ଏହି କଥା:
ପିତା ହାଇଦର ମେହେନ୍ଦୀଙ୍କ ସହ ଏମ୍ବାସି ପହଞ୍ଚିଥିବା ସରୱର ତାଙ୍କ ପ୍ରୋତ୍ସାହନରେ ନିଜ କଥା ରଖିଥିଲା। ସେ ଧୀରେ କରି କହିଲା, "ମୁଁ ମୋ ରହବର (ଇରାନର ସର୍ବୋଚ୍ଚ ନେତା ଅଲି ହୁସେନୀ ଖାମେନେଇ, ଯିଏ ଚାଲିଥିବା ଯୁଦ୍ଧରେ ସହିଦ ହୋଇଛନ୍ତି) ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆସିଛି। ମୋ ରହବର ସହିଦ ହୋଇଛନ୍ତି।" ସରୱରଙ୍କ ପିତା ହାଇଦର ଜଣେ କାର ମିକାନିକ୍। ସେ ନିଜ ପୁଅ ଏବଂ ଅନ୍ୟ କିଛି ଲୋକଙ୍କ ସହ ଇରାନ ଦୂତାବାସରେ ନିଜର ସମର୍ଥନ ଜଣାଇବାକୁ ପହଞ୍ଚିଥିଲେ।
ସାରା ଦେଶରୁ କିପରି ମିଳୁଛି ସମର୍ଥନ:
ଇରାନ ଦୂତାବାସରେ ଲୋକେ ପହଞ୍ଚିବାର ଏହା ପ୍ରଥମ ଘଟଣା ନୁହେଁ। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦୂତାବାସରେ ପରିଦର୍ଶକଙ୍କ ସୁଅ ଛୁଟିଛି। କେରଳ, କଶ୍ମୀର ଏବଂ ଉତ୍ତର ପ୍ରଦେଶ ସମେତ ସାରା ଦେଶରୁ ଲୋକେ ଦାନ, ହାତଲେଖା ସନ୍ଦେଶ ଏବଂ ସମର୍ଥନର ପ୍ରତୀକ ନେଇ ଆସୁଛନ୍ତି। ଏମ୍ବାସି ଭିତରର ଦୃଶ୍ୟ ମଧ୍ୟ ଭିନ୍ନ। ସେଠାରେ ଏକ ମାଟିର ହୁଣ୍ଡି (ଗୁଲକ) ରଖାଯାଇଛି, ଯାହାକୁ ଜଣେ ଶିଶୁ ପୂର୍ବଦିନ ଛାଡିଯାଇଥିଲା। ଏକ ମେଜ ଉପରେ ଭାରତ ଓ ଇରାନର ପତାକା ଏବଂ ବନ୍ଧୁତାର ପ୍ରତୀକ ସ୍ୱରୂପ ଧଳା ଫୁଲ ରଖାଯାଇଛି।
ଦାନ ମିଳିଥିବା ଟଙ୍କାର କ’ଣ କରୁଛି ଦୂତାବାସ:
ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଇରାନ ଦୂତାବାସ ଏହି ଭାବନାକୁ 'ଛୋଟ କିନ୍ତୁ ପ୍ରେମଭରା ହାତ' ବୋଲି କହିଛି। ଏହାକୁ ଭାରତ ଏବଂ ଇରାନ ମଧ୍ୟରେ ଦୟା ଏବଂ ବନ୍ଧୁତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି। ଦୂତାବାସର ଅଧିକାରୀମାନେ କହିଛନ୍ତି ଯେ, ଦାନ କରାଯାଇଥିବା ଅର୍ଥରେ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ପାଇଁ ଔଷଧ କିଣାଯାଉଛି। ଜଣେ ଅଧିକାରୀ ଔଷଧ କାର୍ଟୁନ୍ ଭର୍ତ୍ତି ଏକ ରୁମ୍ ଦେଖାଇ କହିଛନ୍ତି ଯେ, ଆମେ ପୂର୍ବରୁ ଦୁଇଟି କେପ୍ (consignment) ପଠାଇ ସାରିଛୁ ଏବଂ ତୃତୀୟଟି - ପ୍ରାୟ ୧୧ ଟନ୍ ଔଷଧ ମଙ୍ଗଳବାର ପଠାଇବାକୁ ପ୍ରସ୍ତୁତି ଚାଲିଛି।
ଦାନ ସହ ନିଜର ପରିଚୟ ମଧ୍ୟ ଦେଉଛନ୍ତି ପରିଦର୍ଶକ:
• ଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ପରିଦର୍ଶକମାନେ ଦାନ ଦେଉଛନ୍ତି ଏବଂ ରସିଦ ପାଇଁ ନିଜର ବିବରଣୀ ମଧ୍ୟ ପଞ୍ଜିକୃତ କରୁଛନ୍ତି।
• ସେମାନଙ୍କ ମଧ୍ୟରୁ ଅବ୍ବାସ ନାମକ ଜଣେ ବ୍ୟକ୍ତି ୩,୪୧୦ ଟଙ୍କା ନଗଦ ପ୍ରଦାନ କରିଥିଲେ, ଯାହାକୁ ଗ୍ରହଣ କରିବା ପୂର୍ବରୁ ରେକର୍ଡ କରାଯାଇଥିଲା।
• ଅଭିବାଦନ ଜଣାଇବା ଏବଂ ଶୋକ ବ୍ୟକ୍ତ କରିବା ପରେ ଲୋକେ ଚୁପଚାପ୍ ଏମ୍ବାସିରୁ ଚାଲିଯାଉଛନ୍ତି।
• ଦୂତାବାସ ଭିତରେ ରଖାଯାଇଥିବା ରେଜିଷ୍ଟରରେ ହିନ୍ଦୀ, ଉର୍ଦ୍ଧୁ ଏବଂ ଇଂରାଜୀରେ ହାତଲେଖା ବିଶେଷ ସନ୍ଦେଶ ରହିଛି।
• ଏହି ସନ୍ଦେଶରେ କିଛି ଲୋକ ଦୁଃଖ ପ୍ରକାଶ କରୁଛନ୍ତି ତ ଆଉ କେହି ଇରାନ ପ୍ରତି ନିଜର ଏକତା ପ୍ରଦର୍ଶନ କରୁଛନ୍ତି।
୨୮ ଫେବୃଆରୀରେ ଇସ୍ରାଏଲ-ଆମେରିକା କରିଥିଲେ ଆକ୍ରମଣ:
କିଛି ସନ୍ଦେଶ ସେହି ସ୍କୁଲ ପିଲାମାନେ ଲେଖିଛନ୍ତି, ଯେଉଁମାନେ ପୂର୍ବରୁ ନିଜ ଶିକ୍ଷକମାନଙ୍କ ସହ ଆସିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୨୦ଟି ରେଜିଷ୍ଟର ଭରିସାରିଲାଣି ଏବଂ ଲୋକେ ଦିନସାରା ସମର୍ଥନ ଦେବାକୁ ଆସୁଛନ୍ତି। ୨୮ ଫେବୃଆରୀରେ ସଂଘର୍ଷର ପ୍ରାଥମିକ ପର୍ଯ୍ୟାୟରେ ମୀନାବ ସ୍କୁଲ ଉପରେ ଆକ୍ରମଣ ହୋଇଥିଲା। ସେବେଠାରୁ ଯୁଦ୍ଧରେ କ୍ରମାଗତ ବିମାନ ଆକ୍ରମଣ ଏବଂ ପାଲଟା ଆକ୍ରମଣ ଜାରି ରହିଛି, ଯେଉଁଥିରେ ଶିଶୁମାନଙ୍କ ସମେତ ଶତାଧିକ ନାଗରିକଙ୍କ ମୃତ୍ୟୁ ଘଟିଥିବା ଖବର ମିଳୁଛି।