କଟକ: କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ନଗଦ ରାଶି ଜବତ କରାଯାଇଛି ।
ଜଣେ ଜମି ମାଲିକଙ୍କଠାରୁ ତାଙ୍କ ପଡ଼ିଆ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବା ପାଇଁ ମାର୍ଚ୍ଚ ୧୦ ତାରିଖରେ ଆର୍ ଆଣ୍ଡ୍ ଡିଏମ୍ ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦାଖଲ କରିବା ପାଇଁ ଆରଆଇ ରାଜାରାମ ବାନ୍ଦ୍ରା ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ୨୯ ମାର୍ଚ୍ଚରେ ଆରଆଇ ଜମି ମାଲିକଙ୍କୁ ଯୋଗାଯୋଗ କରି ଲାଞ୍ଚ ଦେବାକୁ କହିଥିଲେ । ଯଦି ତାଙ୍କ ଦାବି ମୁତାବକ ୩୦ ହଜାର ଟଙ୍କା ନ ଦିଅନ୍ତି, ତେବେ ସେ ଦାୟର କରାଯାଇଥିବା ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ପ୍ରଦାନ କରିବେ ନାହିଁ ବୋଲି କହିଥିଲେ । ଏଥିରେ ରାଗିଯାଇ ଜମି ମାଲିକ ଅନ୍ୟ କୌଣସି ଉପାୟ ନପାଇ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଜି ଭିଜିଲାନ୍ସର ଏକ ଟିମ୍ ଆରଆଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। ଆରଆଇଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।