କଟକ: ବର୍ଷକ ଭିତରେ ୭୭ ମାଓବାଦୀ ଓଡିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଓଡିଶାରେ ମାଓବାଦୀଙ୍କ ସଂଖ୍ୟା ସିଙ୍ଗିଲ ଡିଜିଟକୁ ଖସି ଆସିଛି । ବାକି ଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ୍ କରୁଛୁ । ଫୁଲବାଣୀରେ ମାଓ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ଡିଜିପି ୱାଇବି ଖୁରାନିଆ ।
ଡିଜିପି କହିଛନ୍ତି, ଓଡିଶାରୁ ୨୩ ଜଣ ମାଓବାଦୀ ଏଠୁ ଯାଇ ଛତିଶଗଡରେ ଆତ୍ମ ସମର୍ପଣ କରିଛନ୍ତି । ୨୭ ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ ବେଳେ ନିପାତ କରାଯାଇଛି । ଏମାନଙ୍କ ଭିତରୁ ୨୦୨୫ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ । ନୂଆପଡା-ଗରିଆବନ୍ଧ ସୀମାନ୍ତ ଅପରେସନରେ ୧୭ ଜଣଙ୍କୁ ନିପାତ କରାଯାଇଥିଲା । ଓଡିଶାରେ ଏବେ ମାଓବାଦୀଙ୍କ ସଂଖ୍ୟା ସିଙ୍ଗଲ ଡିଜିଟକୁ ଖସି ଆସିଛି ।
ଡିଜିପି କହିଛନ୍ତି, ଗୋଟିଏ ଛୋଟ ଗ୍ରୁପ କନ୍ଧମାଳ-ରାୟଗଡା-କଳାହାଣ୍ଡିରେ କାମ କରୁଛନ୍ତି । ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍ କରାଯାଉଛି, ନଚେତ୍ ସୁରକ୍ଷାକର୍ମୀଙ୍କ ସାମ୍ନା କରିବେ । ଏହା ସହିତ ଡିଜିପି ଏସଓଜି, ଡିଭିଏଫ, ସିଆରପିଏଫ, ବିଏସଏଫଙ୍କ ସମ୍ମିଳିତ ପ୍ରୟାସରୁ ସଫଳତା ମିଳିଥିବା କହିଛନ୍ତି । ଓଡିଶାକୁ ସଂପୂର୍ଣ୍ଣ ମାଓ ମୁକ୍ତ ଘୋଷଣା ନ ହେବା ପର୍ଯ୍ୟନ୍ତ ମାଓ ବିରୋଧୀ ଅପରସନ ଜାରି ରହିବ ବୋଲି ପୋଲିସ ମହାନିର୍ଦ୍ଦେଶ କହିଛନ୍ତି ।
Also Read: ତହସିଲଦାରଙ୍କୁ ହତ୍ୟା ଧମକ: ବିଧାୟିକାଙ୍କ ସ୍ୱାମୀଙ୍କୁ ପାଉନି ପୋଲିସ