ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସିତ ହୋଇଛନ୍ତି ଦୁଇ ଜଣ ଓଡ଼ିଆ । କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ ଓ ସମ୍ବଲପୁର ଜିଲ୍ଲାର ସୁଜାତା ଭୂୟାଁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମହିଳାଙ୍କୁ ସଶକ୍ତିକରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ପ୍ରଶଂସିତ ହୋଇଛନ୍ତି ।
ମୁଦିପଡ଼ାରୁ ସୁଜାତାଙ୍କୁ ମୋଦୀଙ୍କ ପ୍ରଶଂସା
ସମ୍ବଲପୁର ମୁଦିପଡା ଏଲଆଇସି କଲୋନୀର ସିକନ୍ଦର ଭୂୟାଁଙ୍କ ସ୍ତ୍ରୀ ସୁଜାତା ଭୂୟାଁ ଜଣେ ସଫଳ ମହିଳା ଉଦ୍ୟୋଗୀ ମାଛ ଚାଷୀ । ସିଏ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଜଣେ ପ୍ରେରଣାର ଉତ୍ସ । ସୁଜାତା ହୀରାକୁଦ ଜଳଭଣ୍ଡାରରେ 'କେଜ୍ କଲ୍ଚର' (Cage Culture) ମାଧ୍ୟମରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି । 2022 ମସିହାରେ ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ହୀରାକୁଦ ଡ୍ୟାମ ପାଣିରେ ମଧୁର ଚାଷ କରନ୍ତି । ସୁଜାତା କହିଛନ୍ତି ଯେ ଦିନେ ସ୍ୱାମୀଙ୍କ ସହିତ ହୀରାକୁଦ ରିଜର୍ଭରକୁ ବୁଲିବାକୁ ଯାଇଥିଲେ l ସେଠାରେ ମାଛ ଚାଷ ହେଉଥିବା ଦେଖି ମତ୍ସ୍ୟ ବିଭାଗକୁ ଯୋଗାଯୋଗ କରିଥିଲେ l ପରେ ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ନେଇ ମାଛ ଚାଷ ଆରମ୍ଭ କରିଥିଲେ l ବ୍ୟାଙ୍କରୁ ଋଣ ଆଣି ଚାଷ ଆରମ୍ଭ କରିଥିଲେ । କେଜ୍ କଲଚର ମାଧ୍ୟମରେ ସେ ରୋଜଗାରକ୍ଷମ ହେବା ସହିତ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ୩ଟି କେଜରେ ସେ ୫୪ ଲକ୍ଷ ଟଙ୍କା ନିବେଶ କରିବା ସହ ବର୍ଷକୁ ଗୋଟିଏ କେଜରେ ୨୫ରୁ ୩୦ ଟନ୍ ମାଛ ଉତ୍ପାଦନ କରିପାରୁଛନ୍ତି । ପ୍ରାୟ 5ରୁ 6 ଲକ୍ଷ ରୋଜଗାର କରୁଛନ୍ତି । ସେଥିରୁ ଉତ୍ପାଦିତ ହେଉଥିବା ମାଛ ସବୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ , ଛତିଶଗଡ ଓ ପଶ୍ଚିମବଙ୍ଗକୁ ରପ୍ତାନୀ ହେଉଛି । ଏଥିରେ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ସୁଜାତା ବେଶ ଖୁସି ଅଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ନାଁ ନେଇ ଥିବାରୁ ସେ ବହୁ ଖୁସି ଅଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ମତ୍ସ୍ୟ ବିଭାଗକୁ ଧନ୍ୟବାଦ ଦେଇଛନ୍ତି l ସରକାରୀ ସ୍ତରରେ ଲୋନ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ସହାୟତା ମିଳି ଥିବାରୁ ଆଜି ସେ ସଫଳ ହୋଇ ପାରିଛନ୍ତି ବୋଲି କହିଛନ୍ତି ।
କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଜର ଗୁରୁତ୍ଵପୂର୍ଣ୍ଣ ମତାମତ ଦେଇଥିବାରୁ ତାଙ୍କର ବିଚାରଧାରାକୁ ମୋଦୀ ସ୍ୱାଗତ କରିଛନ୍ତି । ଓମ୍ ପ୍ରକାଶ ନିଜ ନିବନ୍ଧରେ ମହିଳା ସଶକ୍ତିକରଣ ଉପରେ ଉଚ୍ଚକୋଟିର ମତାମତ ଦେଇଛନ୍ତି । ଓମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ସହିତ ନିଜ ଜିଲ୍ଲାର ଜିଲ୍ଲାପାଳ, ଶିକ୍ଷାନୁଷ୍ଠାନ, ପିତାମାତାଙ୍କୁ ଧନ୍ୟବାଦ ଦେଇଛନ୍ତି ।