ନୂଆଦିଲ୍ଲୀ: ନେପାଳରେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ନେତୃତ୍ୱରେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ସରକାରରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସହ ଜଡ଼ିତ ମେଡିକାଲ୍ ପ୍ରଫେସନାଲ୍ ନିଶା ମେହେଟ୍ଟାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ବିଭାଗର ମନ୍ତ୍ରୀ କରାଯାଇଛି। ତେବେ, ନେପାଳର ଏହି ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଭାରତ ସହ ଗଭୀର ସମ୍ପର୍କ ରହିଛି। ସେ ନିଜର ମେଡିକାଲ୍ ଶିକ୍ଷା ଭାରତରୁ ହିଁ ଶେଷ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସ କଲେଜ ଅଫ୍ ନର୍ସିଂ, ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ଭଳି ପ୍ରତିଷ୍ଠିତ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ନିଶା ମେହେଟ୍ଟାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛି।
ନିଶା ମେହେଟ୍ଟାଙ୍କ ଦିଲ୍ଲୀ ଏମ୍ସ ସହ ରହିଛି ଖାସ୍ ସମ୍ପର୍କ:
ନୂଆଦିଲ୍ଲୀସ୍ଥିତ ଏମ୍ସ କଲେଜ ଅଫ୍ ନର୍ସିଂ ନିଜର ପୂର୍ବତନ ଛାତ୍ରୀ ନିଶା ମେହେଟ୍ଟାଙ୍କୁ ନେପାଳ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ପରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଜାରି କରିଛି। ଏଥିରେ ଲେଖାଯାଇଛି, 'ଆମ ଅନୁଷ୍ଠାନର ସମ୍ମାନିତ ପୂର୍ବତନ ଛାତ୍ରୀ ନିଶା ମେହେଟ୍ଟାଙ୍କ ଏହି ସଫଳତା ସମଗ୍ର ଏମ୍ସ ନର୍ସିଂ ସମାଜ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ରୋଗୀଙ୍କ ସେବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ନୀତି ପ୍ରଣୟନରେ ନେତୃତ୍ୱ ଭୂମିକା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଏହାର ଏକ ଉଦାହରଣ ଯେ ଜଣେ ନର୍ସ କିପରି ନିଜ ଦାୟିତ୍ୱ ସହ ଆଗକୁ ବଢ଼ିପାରିବେ ଏବଂ ଅନ୍ୟମାନଙ୍କ ଉପରେ ଗଭୀର ପ୍ରଭାବ ପକାଇ ପାରିବେ।'
ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପରେ ଏପରି ମିଳିଲା ଅଭିନନ୍ଦନ:
କଲେଜ ଅଫ୍ ନର୍ସିଂ ଏମ୍ସ ନିଜ ପୂର୍ବତନ ଛାତ୍ରୀଙ୍କର ଖୁବ୍ ପ୍ରଶଂସା କରିଛି। ସେମାନେ କହିଛନ୍ତି ଯେ, 'ନିଶା ମେହେଟ୍ଟାଙ୍କ ସଫଳତା ସମସ୍ତ ନର୍ସିଂ ପ୍ରଫେସନାଲ୍ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ। ଏହା ପ୍ରମାଣିତ କରୁଛି ଯେ ନର୍ସମାନେ କେବଳ ସେବାକାରୀ ନୁହଁନ୍ତି, ବରଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡ଼ିବାରେ ଜଣେ ନେତୃତ୍ୱକାରୀ, ନିଷ୍ପତ୍ତି ଗ୍ରହଣକାରୀ ଏବଂ ପରିବର୍ତ୍ତନର ବାର୍ତ୍ତାବହ ମଧ୍ୟ। ଆମେ ତାଙ୍କର ନିରନ୍ତର ସଫଳତା ଏବଂ ଜନସ୍ୱାସ୍ଥ୍ୟ ତଥା ସ୍ୱାସ୍ଥ୍ୟ ନୀତିକୁ ସୁଦୃଢ଼ କରିବାରେ ତାଙ୍କର ପ୍ରଭାବଶାଳୀ ଯୋଗଦାନ ପାଇଁ କାମନା କରୁଛୁ।'
ଗ୍ୱାଲିଅର୍ ୟୁନିଭର୍ସିଟିରୁ ପୋଷ୍ଟ ଗ୍ରାଜୁଏସନ୍:
ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟା ଦିଲ୍ଲୀ ଏମ୍ସରୁ ଗ୍ରାଜୁଏସନ୍ କରିବା ପରେ ମଧ୍ୟପ୍ରଦେଶର ଗ୍ୱାଲିଅର୍ ବିଶ୍ୱବିଦ୍ୟାଳୟରୁ ନର୍ସିଂରେ ସ୍ନାତକୋତ୍ତର କରିଥିଲେ। ଏହାପରେ ସେ ନେପାଳ ଫେରିଯାଇଥିଲେ ଏବଂ ସେଠାରେ ଜଣେ ନର୍ସ ଭାବରେ ନିଜର ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ସେ ବିରାଟନଗରର ବିରାଟ ଟିଚିଂ ହସ୍ପିଟାଲରେ ଏକ ବର୍ଷ କାମ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିଲେ।
ନିଶା ମେହେଟ୍ଟାଙ୍କ ସମ୍ପୂର୍ଣ୍ଣ ପ୍ରୋଫାଇଲ୍:
• ଜନ୍ମ: ୭ ଅଗଷ୍ଟ ୧୯୮୭। ସେ ଜଣେ ନେପାଳୀ ରାଜନୀତିଜ୍ଞ ଏବଂ ମେଡିକାଲ୍ ପ୍ରଫେସନାଲ୍।
• ପଦବୀ: ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସରକାରରେ ସ୍ୱାସ୍ଥ୍ୟ, ଜନସଂଖ୍ୟା ଏବଂ ଜଳ ଯୋଗାଣ ମନ୍ତ୍ରୀ।
• ରାଜନୈତିକ କ୍ୟାରିୟର: ସେ ୨୦୨୬ ସାଧାରଣ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିରୁ ପ୍ରତିନିଧି ସଭା ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମଧେଶୀ ମହିଳା ଗ୍ରୁପ୍ର ପାର୍ଟି ଲିଷ୍ଟ ଆଧାରରେ ଚୟନ କରାଯାଇଥିଲା।
• ଜନ୍ମସ୍ଥାନ: କୋଶୀ ପ୍ରାନ୍ତର ସୁନସରୀ ଜିଲ୍ଲା ଅନ୍ତର୍ଗତ ଇନାରୁୱାରେ।
• ଶିକ୍ଷା: ଦିଲ୍ଲୀ ଏମ୍ସରୁ ଗ୍ରାଜୁଏସନ୍ ଏବଂ ଗ୍ୱାଲିଅର୍ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ୍।
• ଅଭିଜ୍ଞତା: ନେପାଳ ଫେରିବା ପରେ ବି.ପି. କୋଇରାଲା ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନରେ ପ୍ରାୟ ୩ ବର୍ଷ ନର୍ସ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ବିରାଟନଗରରେ ନର୍ସ ଏବଂ ଆସୋସିଏଟ୍ ପ୍ରଫେସର ଭାବେ ମଧ୍ୟ କାମ କରିଛନ୍ତି।