ନୂଆଦିଲ୍ଲୀ: ଇରାନରେ ଜାରି ଭୀଷଣ ସୈନ୍ୟ ସଂଘର୍ଷ ମଧ୍ୟରେ ସମଗ୍ର ଦୁନିଆରେ ଉର୍ଜା ସଙ୍କଟ ଜାରି ରହିଛି । ଏମିତି ଘଡିସନ୍ଧି ସମୟରେ ଭାରତ ବେଳ ନିଜ ଦେଶର ଜନତାଙ୍କ ଆବଶ୍ୟକତାକୁ ପୂରା କରୁନାହିଁ ବରଂ ପଡୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶର ଯତ୍ନ ନେଉଛି । ଏହି କ୍ରମରେ ଭାରତ ପକ୍ଷରୁ ୩୮ ହଜାର ମେଟ୍ରିକ ଟନ ଡିଜେଲ୍ ଓ ପେଟ୍ରୋଲ ଟ୍ରିପ ଶ୍ରୀଲଙ୍କା ପହଞ୍ଚି ସାରିଛି । ଭାରତୀୟ ଉଚ୍ଚାୟୋଗ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଭାରତର ଏହି ପଦକ୍ଷେପକୁ କେବଳ ଶ୍ରୀଲଙ୍କାର ସରକାର ପ୍ରଶଂସା କରୁ ନାହାନ୍ତି ବରଂ ସେଠାକାର ବିରୋଧୀ ମଧ୍ୟ ଖୁସିରେ ଗଦଗଦ ।
ଶ୍ରୀଲଙ୍କାରେ ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ଭାରତର ପ୍ରଶଂସା କରି ଧନ୍ୟବାଦ ଦେଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ଜରୁରୀକାଳୀନ ଇନ୍ଧନ ସହାୟତା ପାଇଁ ଭାରତ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଏହା ସହିତ ସେ ମନେ ପକାଇ ଦେଇଛନ୍ତି ଯେ, ସଙ୍କଟ ସମୟରେ ପ୍ରକୃତ ସଂପର୍କ ଓ ବନ୍ଧୁତାର ପରୀକ୍ଷା ହୋଇଥାଏ । ଭାରତ ପ୍ରକୃତ ବନ୍ଧୁତାର ପରିଚୟ ଦେଇ ସର୍ବଦା ସଙ୍କଟ ସମୟରେ ଆମ ସହିତ ଛିଡା ହୋଇଛି । ଆମକୁ ଭାରତକୁ କେବେ ବି ଭୁଲିବା ଉଚିତ୍ ନୁହେଁ ଯିଏ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ସହ ଛିଡା ହେଉଛି ।
ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ମାର୍ଚ୍ଚ ୨୪ରେ ଟେଲିଫୋନରେ ଆଲୋଚନା ହୋଇଥିଲା । ଏହା ପରେ ଭାରତ ଶ୍ରୀଲକାକୁ ଇନ୍ଧନ ପଠାଇବାକୁ ନିଷ୍ପତ୍ତି ନେଇଥିଲା । ଏହି ୩୮ ହଜାର ମେଟ୍ରିକ ଟନରୁ ୨୦ ହଜାର ମେଟ୍ରିକ ଟନ ଡିଜେଲ୍ ଓ ୧୮ ହଜାର ମେଟ୍ରିକ ଟନ ପେଟ୍ରୋଲ ସାମିଲ୍ । ଇଣ୍ଡିଆନ ଓଏଲ କର୍ପୋରେସନର ସ୍ଥାନୀୟ ପରିଚାଳନା ଓ ଲଙ୍କା ଆଇଓସି ମାଧ୍ୟମରେ ଏହି ଇନ୍ଧନ ପହଞ୍ଚି ପାରିଛି ।
Also Read: ଯୁଦ୍ଧ ସମୟରେ ଉପସାଗରୀୟ ଦେଶ ସମୂହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ