ଭୁବନେଶ୍ୱର: ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପ୍ରତିଭାବାନ ଯୁବକ ଓମ୍ ପ୍ରକାଶ ରଥ ଓ ସମ୍ବଲପୁରର ସୁଜାତା ଭୂୟାଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଏବଂ ସୁଜାତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି, କେନ୍ଦ୍ର ସରକାରଙ୍କ ‘ମାଇଁ ଭାରତ ବଜେଟ୍ କ୍ୱେଷ୍ଟ୍’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରାୟ ୧୨ ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ, ‘ଓମେନ୍ ଲେଡ୍ ଡେଭଲପମେଣ୍ଟ୍’ (Women-led Development) ବା ମହିଳାଙ୍କ ନେତୃତ୍ୱରେ ବିକାଶ ସମ୍ପର୍କିତ ପ୍ରବନ୍ଧରେ ଓମ୍ ପ୍ରକାଶ ରଥଙ୍କର ଚିନ୍ତାଧାରା ଓ ବିଶ୍ଳେଷଣ ପ୍ରଧାନମନ୍ତ୍ରୀଙ୍କୁ ଅଭିଭୂତ କରିଛି। ଓମ୍ ପ୍ରକାଶ ରଥଙ୍କ ପ୍ରବନ୍ଧ ପ୍ରଶଂସିତ ହେବା ଆମ ରାଜ୍ୟର ଯୁବ ପ୍ରତିଭାଙ୍କ ବୈଦ୍ଧିକ ଦକ୍ଷତାର ପରିଚୟ ଦେଉଛି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରର ସଫଳ ମହିଳା ମତ୍ସ୍ୟ ଉଦ୍ୟୋଗୀ ଶ୍ରୀମତୀ ସୁଜାତା ଭୂୟାଁଙ୍କ ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର ବିଷୟ। ଶ୍ରୀମତୀ ଭୂୟାଁ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ (PMMSY) ର ସଦୁପଯୋଗ କରି ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍ଚର’ (Cage Culture) ମାଧ୍ୟମରେ ମାଛ ଚାଷ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବାର୍ଷିକ ପ୍ରାୟ ୨୫ ରୁ ୩୦ ମେଟ୍ରିକ ଟନ୍ ମାଛ ଉତ୍ପାଦନ ସହ ୮ ରୁ ୧୦ ଲକ୍ଷ ଟଙ୍କା ଆୟ କରି ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଜଣେ ଗୃହିଣୀରୁ ସ୍ଵାବଲମ୍ବୀ ଉଦ୍ୟୋଗୀ ପାଲଟିଥିବା ସୁଜାତାଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ରାଜ୍ୟର ଅନ୍ୟ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ତାଙ୍କର ଏହି ନିରନ୍ତର ଉଦ୍ୟମ ଓ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୁଜାତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।