କଟକ: ରାଜ୍ୟ ଅଲମ୍ପିକ ସଂଘର ବର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷର ଅଡିଟ ରିପୋର୍ଟ ଓ ୨୦୨୬-୨୭ ବର୍ଷ ପାଇଁ ବଜେଟ ଓ ଆସନ୍ତା ୪ ବର୍ଷ ପାଇଁ ରାଜ୍ୟରେ ଅଲମ୍ପିକ କ୍ରୀଡ଼ାର ଆୟୋଜନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ କ୍ରୀଡ଼ାର କିପରି ପ୍ରଚାର ପ୍ରସାର ହେବ ଓ ତୃଣମୂଳ ସ୍ତରରୁ କିପରି ଖେଳାଳି ଚୟନ ହେବେ ତାହା ଉପରେ ଅଧିକ ଗୁରୁତ୍ଵ ଆରୋପ କରାଯାଇଥିଲା । ଏହା ସହ ୨୦୨୮ ମାର୍ଚ୍ଚ ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ବିଶ୍ୱ ଆଥଲେଟିକ ମିଟ ଅନୁଷ୍ଠିତ ହେବ । ଅଲମ୍ପିକ ପରେ ଏହି ମେଗା ସ୍ପୋର୍ଟସ ଇଭେଣ୍ଟରେ ୧୩୦ରୁ ଉର୍ଦ୍ଧ୍ୱ ଦେଶର ଖେଳାଳି ଭାଗ ନେବେ। ଭାରତ ବର୍ଷରେ ଏତେ ବଡ଼ କ୍ରୀଡା ଆୟୋଜନ କେବେ ହୋଇନାହିଁ । ତେବେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଏହି ଆୟୋଜନ ସମ୍ଭବ ହେବାକୁ ଯାଉଛି । ଏହିଭଳି ଆୟୋଜନ ଓଡ଼ିଆ ଖେଳାଳିଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ରାଜ୍ୟ ଅଲମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ । ତେବେ ଆଜିର ବୈଠକରେ ରାଜ୍ୟର ଅନୁବନ୍ଧିତ ସମସ୍ତ କ୍ରୀଡା ସଂଘ ଯୋଗଦେଇଥିଲେ ।