ଭୁବନେଶ୍ୱର: ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗକୁ ଛାଡ଼ି ଏବେ ବିଜୁ ବାବୁଙ୍କ ପ୍ରସଙ୍ଗ ଉଠାଇଛି ବିଜେଡ଼ି । ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ବିରୋଧୀ ହଙ୍ଗାମା କରିଛି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରଥମେ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ସଦସ୍ୟମାନେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ବିଜେଡ଼ି ସହିତ କଂଗ୍ରେସ ସଦସ୍ୟମାନେ ମଧ୍ୟ ତାଳ ମିଳାଇଥିଲେ ନାରାବାଜି କରିଥିଲେ । ଏହାରି ମଧ୍ୟରେ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖୁଥିଲେ । ତେବେ ବିରୋଧୀଙ୍କ ନାରାବାଜିରେ ଗୃହ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଥିଲେ ।ଉଲ୍ଲେଖ ଯୋଗ୍ୟ, ନିଶିକାନ୍ତ ଦୁବେ କଂଗ୍ରେସକୁ ଟାର୍ଗେଟ୍ କରି ମନ୍ତବ୍ୟ ଦେଇଥିଲେ ଯେ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଆମେରିକା ଏବଂ ଏହାର ଗୁପ୍ତଚର ସଂସ୍ଥା ସିଆଇଏ ସହିତ ସମ୍ପର୍କ ଥିଲା। ବିଜୁ ପଟ୍ଟନାୟକ ଆମେରିକା ସରକାର, ସିଆଇଏ ଏବଂ ନେହେରୁଙ୍କ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ । ସେ ଦାବି କରିଥିଲେ ଯେ ପଟ୍ଟନାୟକଙ୍କୁ ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ଆମେରିକୀୟ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଥିଲେ। ଦୁବେ ତାଙ୍କ ଦାବିକୁ ସତ ପ୍ରମାଣିତ କରିବାକୁ ନେହେରୁଙ୍କ ଦ୍ୱାରା ଲିଖିତ ଚିଠି ଗୁଡ଼ିକର ମଧ୍ୟ ଉଲ୍ଲେଖ କରିଥିଲେ।