କାକଟପୁର:ପବିତ୍ର ଚୈତ୍ରମାସର ଚତୁର୍ଥ ମଙ୍ଗଳବାର ଅବସରରେ ମା' ମଙ୍ଗଳା ମନ୍ଦିରରେ ଆଜି ଭକ୍ତିମୟ ପରିବେଶରେ ପାଳିଯାତ୍ରା ଅନୁଷ୍ଠିତ ହେଉଛି। ଏହି ବିଶେଷ ଅବସରରେ କାକଟପୁର ବାସିନୀ ମା' ମଙ୍ଗଳା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି, ଯାହା ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି।
ସକାଳୁ ମନ୍ଦିରରେ ମା'ଙ୍କର ବିଶେଷ ନୀତିକାନ୍ତି ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଭୋର ୪ଟାରେ ଦ୍ୱାର ଖୋଲା ପରେ ଭକ୍ତମାନେ ବ୍ୟାରିକେଡ୍ ମାଧ୍ୟମରେ ଶୃଙ୍ଖଳିତ ଭାବରେ ଧାଡ଼ିରେ ରହି ମାଆଙ୍କ ଦର୍ଶନ କରୁଛନ୍ତି। ଦିନ ବଢ଼ିବା ସହ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇଥିବାରୁ ମନ୍ଦିର ପରିସରରେ ବିଶେଷ ବ୍ୟବସ୍ଥା କରାଯାଇଛି।
ମନ୍ଦିର ପରିସର “ହରିବୋଲ” ଧ୍ୱନି ଓ ହୁଳହୁଳିରେ ଗୁଞ୍ଜି ଉଠୁଛି, ଯାହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏହି ଦିନରେ ମାଙ୍କ ପାଖରେ ପାରମ୍ପରିକ ଚୁଡ଼ା ଘସା ଭୋଗ ଲାଗିବାର ବିଶେଷ ପରମ୍ପରା ରହିଛି। ଭକ୍ତମାନେ ଏହି ପ୍ରସାଦକୁ ଅତ୍ୟନ୍ତ ଭକ୍ତିଭାବରେ ଗ୍ରହଣ କରୁଛନ୍ତି ଓ ଏହାକୁ ଶୁଭ ମନାଯାଉଛି।
ପାଳିଯାତ୍ରା ଅବସରରେ ମନ୍ଦିର ବେଢ଼ା ଭିତରେ ପାରମ୍ପରିକ ଘଣ୍ଟ ପାଟୁଆ ନୃତ୍ୟ ଆୟୋଜିତ ହେଉଛି। ଏହା ସହ ରାତି ବେଳେ କାଳିକା ନୃତ୍ୟ ପ୍ରଦର୍ଶନର ପରମ୍ପରା ମଧ୍ୟ ରହିଛି, ଯାହା ଦେଖିବା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗି ରହେ।
ସେହିପରି ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।