ଭୁବନେଶ୍ୱର: ନକ୍ସଲ ନିପାତ ପାଇଁ ଦିଆଯାଇଥିବା ଡେଡଲାଇନ୍ ଆଜି ସମାପ୍ତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ମାର୍ଚ୍ଚ ୩୧ ମଧ୍ୟରେ ନକ୍ସଲମାନଙ୍କୁ ହିଂସା ଛାଡ଼ି ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ।
ସୂଚନା ଅନୁସାରେ, ଗତ କିଛି କିଛି ଦିନ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଅଭିଯାନରେ ବହୁ ଟପ୍ ମାଓବାଦୀ ନେତା ନିହତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି। ଟପ୍ ମାଓ ନେତା ମେଶ୍ରି ବେଶ୍ରା ଓ ପୂର୍ବତନ ମାଓ ସଂଗଠନ ମୁଖ୍ୟ ଗଣପତିଙ୍କ ଆତ୍ମସମର୍ପଣ ନେଇ ଚର୍ଚ୍ଚା ଚାଲିଛି। ମେଶ୍ରି ବେଶ୍ରାଙ୍କ ମୁଣ୍ଡରେ ପ୍ରାୟ ୧ କୋଟି ଟଙ୍କା ପୁରସ୍କାର ଘୋଷିତ ରହିଛି।
ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେବଳ ୯ ଜଣ ମାଓବାଦୀ ସକ୍ରିୟ ଥିବା ସୂଚନା ମିଳିଛି। ଡିଭିଜନାଲ୍ କମିଟି ସଦସ୍ୟ ସିଲାଙ୍କ ନେତୃତ୍ୱରେ ସେମାନେ କାର୍ଯ୍ୟ କରୁଥିବା ବେଳେ, ତାଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀଙ୍କ ତରଫରୁ ଜୋରଦାର ଅଭିଯାନ ଚାଲିଛି।
ପୋଲିସ ପକ୍ଷରୁ ପୁନଃ ଆହ୍ୱାନ ଦିଆଯାଇଛି ଯେ, ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦିଅନ୍ତୁ। ଏଥିପାଇଁ ସରକାର ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ସତର୍କ କରାଇଛନ୍ତି।
ଏପରିକି, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳର ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ସମ୍ପ୍ରତି ସର୍ଚ୍ଚ ଅପରେସନ ସମୟରେ ଏକ ଏନକାଉଣ୍ଟର ଘଟିଥିଲା। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପୋଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ଅଞ୍ଚଳରେ ଅପରେସନ ଜାରି ରହିଥିବା ବେଳେ, ଡେଡଲାଇନ୍ ପରେ ପରିସ୍ଥିତି କେମିତି ହେବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।
ଅଧିକ ପଢନ୍ତୁ: ମାଓ ସଙ୍ଗଠନକୁ ଶକ୍ତ ଝଟକା; ରାଉରକେଲାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ବିଜୟୱାଡାରେ ଟପ୍ କମାଣ୍ଡର ସୋମନ୍ନାଙ୍କ ସରେଣ୍ଡର
ଗତକାଲି ମଧ୍ୟ ଓଡ଼ିଶାର ରାଉରକେଲାରେ ଜଣେ ସକ୍ରିୟ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ, ଅନ୍ୟପଟେ ଆନ୍ଧ୍ର ପ୍ରଦେଶରେ ଜଣେ ଟପ୍ ମାଓ କମାଣ୍ଡର ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି। ମୋଙ୍ଗଡ଼ି ହୁନାଙ୍ଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେ ଦକ୍ଷିଣ ଛୋଟନାଗରା ଗୁରିଲା ସ୍କ୍ୱାଡ୍ର ସକ୍ରିୟ ସଦସ୍ୟ ଥିଲେ ଏବଂ ଗତ ଦୁଇ ବର୍ଷ ଧରି ମାଓ ଗତିବିଧିରେ ଜଡିତ ଥିଲେ। ସେହିପରି ଚେଲୁରୁ ନାରାୟଣ ରାଓ ଓରଫ୍ ସୋମନ୍ନା ନାମକ ଜଣେ ଟପ୍ ମାଓ କମାଣ୍ଡର ଆନ୍ଧ୍ର ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସୋମନ୍ନା ଆନ୍ଧ୍ର-ଓଡ଼ିଶା ସୀମା ଅଞ୍ଚଳରେ କାର୍ଯ୍ୟରତ ଷ୍ଟେଟ୍ କମିଟି ସହ ଜଡିତ ଥିଲେ। ସେ ସେଣ୍ଟ୍ରାଲ ରିଜିଓନାଲ କମିଟିର ୩ୟ କମ୍ପାନୀର କମାଣ୍ଡର ଭାବେ କାମ କରୁଥିଲେ ଏବଂ People's War Group ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।