ମୟୁରଭଞ୍ଜ: ବୋହୂ ସାଜିଲା ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁକୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ। ଆଉ ଏ ସବୁର ଦେଖଣାହାରି ସାଜିଥିଲା ପୁଅ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା। ଗୁରୁତର ଶାଶୁ ସାବିତ୍ରୀ ଦତ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ସନ୍ଧ୍ୟା ସମୟରେ ସାବିତ୍ରୀ ଦତ୍ତ ଘର ବାହାରେ ବସିଥିବାବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ଶାଶୁଙ୍କୁ ଆକ୍ରମଣ କରିଥିଲେ । ଘର ଭିତରକୁ ଘୋଷାରି ନେଇ ବେତବାଡ଼ିରେ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ଚୋଟ ମାରିଥିଲେ । ଶାଶୁ ସାବିତ୍ରୀଙ୍କ ମୁଣ୍ଡ ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିବା ବେଳେ ସେଠାରେ ଛିଡା ହୋଇ ପୁଅ କୁଲୁ ଦତ୍ତ ଏ ସବୁ ଦେଖୁଥିଲା । କୁଲୁ ନିଜ ସ୍ତ୍ରୀକୁ ଅଟକାଇ ନ ଥିଲେ । ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡିଶା ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ବୋହୂ ମାମିକୁ ନିଜ ହେପାଜତକୁ ନେଇଛି ।
ସେପଟେ ଗୁଣି ଗାରେଡି ସନ୍ଦେହରେ ବୋହୂ ହାଣିଥିବା କହିଛନ୍ତି ସାବିତ୍ରୀ। ଦେହରେ ଠାକୁରାଣୀ ଆସିଥିବାରୁ ସେ ଏପରି କରିଥିବା ବୋହୂ ପୋଲିସ ସମ୍ମୁଖରେ ସଫେଇ ଦେଇଛି ।