ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ କେଶାଇବାହାଲ ଗ୍ରାମରେ ମଙ୍ଗଳବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାଇଖାନା ସେପ୍ଟି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସେହି ଗ୍ରାମର ସୁଶୀଲ ନାୟକ ଓ ଭିକାରୀ ଚରଣ ବେହେରା । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ପ୍ରାଥମିକ ସୂଚନା ଆଧାରରେ, ଆଜି କେଶାଇବାହାଲ ଗ୍ରାମରେ ଜଣଙ୍କର ପାଇଖାନା ସେଫ୍ଟି ଟାଙ୍କି କାମ ଚାଲିଥିଲା । ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ଜଣେ ଶ୍ରମିକ ଭିତରକୁ ଯାଇଥିଲେ । କିନ୍ତୁ ସେ ସେଠାରେ ଚେତା ଶୂନ୍ୟ ହୋଇ ପଡ଼ିଯାଇଥିଲେ । ଏହା ପରେ ଆଉ ଜଣେ ଶ୍ରମିକ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । ସେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ପୁଣି ଅନ୍ୟ ଦୁଇ ଜଣ ଶ୍ରମିକ ସେମାନଙ୍କୁ ଉଦ୍ଧାର କରିବାକୁ ଟାଙ୍କି ଭିତରକୁ ଯାଇ ଅସୁସ୍ଥ ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସୁଶୀଲ ନାୟକ ଓ ଭିକାରୀ ଚରଣ ବେହେରାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି । ସେମାନେ ବିପଦ ମୁକ୍ତ ରହିଥିବା ସୂଚନା ମିଳିଛି ।