ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ଆଇନ । ଏଥିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ଶ୍ରମ ନିୟମକୁ ନେଇ କର୍ମଚାରୀଙ୍କ ମନରେ ଅନେକ ପ୍ରଶ୍ନ ଓ ଶଙ୍କା ଥିବ । ମୁଖ୍ୟତଃ କାମ କରିବାର ସମୟ ଏବଂ ଓଭରଟାଇମକୁ ନେଇ ନିୟମ ବଦଳିଛି । ସରକାରଙ୍କ କହିବା କଥା ଓଭରଟାଇମର ନୂଆ ପରିଭାଷା ସ୍ଥିର କରିବା । ୧୯୪୮ ଫ୍ୟାକ୍ଟ୍ରି ନିୟମରେ ପରିବର୍ତ୍ତନ କରାଯାଇଛି । ଏଥିରେ କେବଳ ଶ୍ରମିକ ନୁହନ୍ତି ବରଂ କପ୍ରୋରେଟ୍, ଦୋକାନ କିମ୍ବା ଅନ୍ୟ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।
କଣ ହୋଇଛି ପରିବର୍ତ୍ତନ ?
ଫ୍ୟାକ୍ଟ୍ରି ଆକ୍ଟ ୧୯୪୮ ଓ ନୂଆ ଶ୍ରମ ନୀତି ମଧ୍ୟରେ କାମ କରିବାର ସମୟ ଏବଂ ଓଭରଟାଇମରେ ବଡ ବ୍ୟବଧାନ ରହିଛି । ପୁରୁଣା ନିୟମ ମୁତାବକ ଗୋଟିଏ ଦିନରେ ସର୍ବାଧିକ କାମ କରିବାର ସମୟ ସୀମା ୯ ଘଣ୍ଟା ଥିଲା, ଯାହାକୁ ଏବେ ହ୍ରାସ କରାଯାଇ ୮ ଘଣ୍ଟା କରାଯାଇଛି । ଅର୍ଥାତ ଯଦି କୌଣସି କମ୍ପାନି କିମ୍ବା ଫ୍ୟାକ୍ଟ୍ରି ନିଜର କର୍ମଚାରୀଙ୍କୁ ଗୋଟିଏ ଦିନରେ ୮ ଘଣ୍ଟାରୁ ଅଧିକ କାମ କରାଏ ତେବେ କର୍ମଚାରୀଙ୍କୁ ଅତିରିକ୍ତ କାମ ପାଇଁ ଟଙ୍କା ଦେବାକୁ ପଡିବ । ଏହି ଟଙ୍କା କର୍ମଚାରୀଙ୍କ ଦରମା ଆଧାରରେ ସ୍ଥିର ହେବ ।
ସପ୍ତାହରେ କାମର ସୀମା
ଗୋଟିଏ ସପ୍ତାହରେ କାମ କରିବାର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବେ ଏହା ୪୮ ଘଣ୍ଟା ଥିଲା ଏବଂ ଏବେ ମଧ୍ୟ ୪୮ ଘଣ୍ଟା ରହିଛି । କିନ୍ତୁ ପୂର୍ବେ ୯ ଘଣ୍ଟାକୁ ମଧଯୟ କାମର ସମୟ ହିସାବରେ ଗଣା ଯାଉଥିଲା । କିନ୍ତୁ ନୂଆ ଶ୍ରମ ଆଇନ ଅନୁସାରେ ୯ମ ଘଣ୍ଟା ଆରମ୍ଭ ହେବା ମାତ୍ରେ ଏହାର ଗଣତି ଓଭରଟାଇମ ରୂପେ କରାଯିବ ।
ଏହାର ପରିଧିରେ ଆସିବେ କର୍ପୋରେଟ୍, ଆଇଟି ସେକ୍ଟରର ପ୍ରୋଫେସନାଲ
ଫ୍ୟାକ୍ଟ୍ରି ଆଇନ ୧୯୪୮ ମୁତାବକ ପ୍ରଥମ କାମ କରିବା ସମୟ ଏବଂ ଓଭରଟାଇମର କଡା ନିୟମ ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ସୀମିତ ଥିଲା । ହେଲେ ଏବେ ଏହାକୁ ଅଧିକ ବ୍ୟାପକ କରାଯାଇଛି । ଏବେ ଆଇଟି କମ୍ପାନି, କର୍ପୋରେଟ୍ ଅଫିସ କିମ୍ବା ଘରୋଇ କାମରେ ରଖୁଥିବା ଲୋକଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ । ଏଥିରେ ବ୍ୟବସାୟିକ ଦୋକାନ ବି ସାମିଲ୍ ।
କେହି ବି କରି ପାରିବେ ଓଭର ଟାଇମ
ପୁରୁଣା ଆଇନ ମୁତାବକ ଏକ ନିର୍ଦ୍ଧାରିତ ଦରମାରୁ ଅଧିକ ଲୋକଙ୍କୁ ଓଭରଟାଇମର ଟଙ୍କା ମିଳୁ ନ ଥିଲା । ଏଥିପାଇଁ ଅଧିକ ବେତନ ପାଉଥିବା ଲୋକଙ୍କୁ ଓଭରଟାଇମରୁ ବାହାରେ ରଖା ଯାଇଥିଲା । ନୂଆ ନିୟମ ମୁତାବକ ଏହାର କୌଣସି ସୀମା ସ୍ଥିର କରାଯାଇ ନାହିଁ । ଅର୍ଥାତ କୌଣସି ବି ସ୍ତରର ଦରମା ପାଉଥିବା କର୍ମଚାରୀ ଓଭରଟାଇମ କାମ କରି ପାରିବେ । ଆଉ ଏହାର ପୈଠ କମ୍ପାନି କରିବ ।