ବୌଦ୍ଧ: ଗଞ୍ଜେଇ ଚାଲାଣ ଅଭିଯୋଗରେ କନଷ୍ଟେବଳ ଗିରଫ। ବୌଦ୍ଧରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର। ଯାହାକୁ ଗଂଜେଇ କାରବାର ରୋକିବାକୁ ଦାୟିତ୍ୱ ଦିଆଯାଇଥିଲା ସେ କରୁଥିଲା ଚାଲାଣ। ବୌଦ୍ଧ ଥାନା ବରକୁଡ଼ା ଛକ ନିକଟରେ ତଲାସୀ ସମୟରେ ଏକ ବାଇକରୁ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ରିଜର୍ଭ ପୋଲିସ କନଷ୍ଟେବଳ ନିଧି ସାହୁ। ସେ ବୌଦ୍ଧ ବଳସିଙ୍ଗା ରିଜର୍ଭରେ ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଛତାପୁରରୁ ବୌଦ୍ଧ ଗଂଜେଇ ଚାଲାଣ ହେଉଥିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ତାଙ୍କ ଗାଡ଼ିରୁ ଚୋରା ସାମଗ୍ରୀ ଜବତ କରାଯିବ ସହ ତାଙ୍କ ମୋଟରସାଇକେଲକୁ ଜବତ କରିଯାଇଛି।
ବୌଦ୍ଧ ଏସପି ରାହୁଲ ଗୋଏଲ ସୂଚନା ଦେଇ କହିଛନ୍ତି, “ଏହି ଅଭିଯାନ ଓଡ଼ିଶା ଡିଜିପିଙ୍କ 'ନଶା ମୁକ୍ତ ଓଡ଼ିଶା' ପଦକ୍ଷେପର ଅଂଶ। ପୋଲିସ କର୍ମଚାରୀଙ୍କ ସମେତ ଡ୍ରଗ୍ସ ଅପରାଧରେ ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
କର୍ତ୍ତୃପକ୍ଷ ସାହୁଙ୍କୁ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ପଠାଇ ଦେଇଛନ୍ତି। ଅଧିକାରୀମାନେ ପୁନର୍ବାର କହିଛନ୍ତି ଯେ ନିଶାଦ୍ରବ୍ୟ ବିରୋଧରେ ଅଭିଯାନର ଲକ୍ଷ୍ୟ ନିଶାଦ୍ରବ୍ୟ ଚାଲାଣ ନେଟୱାର୍କକୁ ଦୂର କରିବା ଏବଂ ସମାଜର ସମସ୍ତ ବର୍ଗ ମଧ୍ୟରେ ଦାୟିତ୍ୱ ସୁନିଶ୍ଚିତ କରିବା।
ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ବୌଦ୍ଧ ଏସପି ରାହୁଲ ଗୋଏଲ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଗଂଜେଇ କାରବାରରେ ଥିବା ଲୋକଙ୍କୁ ଛଡ଼ା ଯିବନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ପୋଲିସ। ଆଗକୁ ବୌଦ୍ଧକୁ କିପରି ଗଞ୍ଜେଇ ମୁକ୍ତ ଜିଲ୍ଲା କରାଯିବ ତାହାକୁ ନେଇ ଜୋର୍ ସୋର୍ ପ୍ରୟାସ ଜାରି ରଖିଛି ବୋଲି SP କହିଛନ୍ତି।