ନବରଙ୍ଗପୁର: ଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ଧର୍ମସମ୍ବନ୍ଧୀୟ ବିବାଦକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଗ୍ରାମର ଏକ ପରିବାର ନିଜ ମୂଳ ହିନ୍ଦୁ ଧର୍ମ ଛାଡ଼ି ନୂଆ ଧର୍ମ ଗ୍ରହଣ କରିଥିଲେ। ଏହି ଭିତରେ ବିଳମ୍ବିତ ରାତିରେ ଜଣେ ଧର୍ମ ପରିବର୍ତ୍ତନ କରିଥିବା ପରିବାରଙ୍କ ମଧ୍ୟରୁ ଚଇତି ହରିଜନ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହିନ୍ଦୁଧର୍ମ ଛାଡ଼ିଥିବା ଯୋଗୁଁ ସେମାଙ୍କୁ ଗ୍ରାମର ହିନ୍ଦୁ ଶ୍ମଶାନରେ ଶବ ସତ୍କାର ପାଇଁ ଜାଗା ଦେବୁ ନାହିଁ ବୋଲି ଜିଦ ଧରି ବସିଛନ୍ତି ଗ୍ରାମବାସୀ।
ସମ୍ପ୍ରଦାୟୀୟ ରୀତି ଅନୁସାରେ ଶବ ସତ୍କାର ପାଇଁ ସ୍ଥାନ ଦେବାରେ ଗ୍ରାମବାସୀ ଅସହମତ ଥିବାରୁ ମୃତକଙ୍କ ଶବ ୧୭ ଘଣ୍ଟା ଘରେ ପଡି ରହିଛି। ହିନ୍ଦୁ ଧର୍ମାଲମ୍ବୀ ଲୋକଙ୍କ କହିବା, “ଯଦି ସେମାନଙ୍କ ପରିବାର ଆମ ଧର୍ମର ନିୟମ ଅନୁସାରେ ଶବ ସତ୍କାର କରିବାକୁ ପସନ୍ଦ କରନ୍ତି, ତେବେ ଆମେ ଗ୍ରାମର ଶ୍ମଶାନରେ ସ୍ଥାନ ଦେବୁ।”
ଅନ୍ୟପଟେ, ମୃତକଙ୍କ ପରିବାର ଅଭିଯୋଗ କରିଛି, “ଆମ ମୌଳିକ ଅଧିକାରକୁ ଅନ୍ୟ ପକ୍ଷ ଅବହେଳା କରୁଛି, ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅନ୍ୟ ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରବର୍ଗ"। ଏହାକୁ ନେଇ ଗ୍ରାମରେ ଏକ ପ୍ରକାର ଉତେଜନା ଜାରି ରହିଛି। ଘଟଣାସ୍ଥଳରେ ଉମରକୋଟ ପୁଲିସ ଉପସ୍ଥିତ ରହି, ଦୁଇ ପକ୍ଷକୁ ଶାନ୍ତି ରଖିବାରେ ପ୍ରୟାସ କରୁଛି। ଏହି ବିବାଦ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଏକ ଗଭୀର ସମାଜିକ ପ୍ରଶ୍ନ ଉଠାଇଛି, ଯାହା ଆଗାମୀ ଦିନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ।