କଟକ: କଟକ ହାଇକୋର୍ଟ ସମ୍ମୁଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣା କୌଣସି ଦୁର୍ଘଟଣା ନୁହେଁ ବରଂ ଏହା ସୁଚିନ୍ତିତ ଓ ଯୋଜନା ବଦ୍ଧ ଥିଲା । ଦୀପାବଳିଠାରୁ ପ୍ରସ୍ତୁତ କରିଥିବା ଷଡ଼ଯନ୍ତ୍ରକୁ ଆଜି ରୂପ ଦେଇଛନ୍ତି । ତେବେ ମହିଳା ଜଣକ ଗୋଟିଏ ପେଟ୍ରୋଲ ପମ୍ପରୁ ପାଣି ବୋତଲରେ ପେଟ୍ରୋଲ୍ ଭରିକି ଆଣିଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ୍ ବିକ୍ରି କରିବା କଟକଣା ଥିବା ସତ୍ତ୍ୱେ ମହିଳାଙ୍କୁ କିଏ ପେଟ୍ରୋଲ୍ ଦେଇଛନ୍ତି ।
ଆଜି ହାଇକୋର୍ଟ ସମ୍ମୁଖରେ ନିଆଁରେ ଗୋଟିଏ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ତେବେ ତଦନ୍ତ ପରେ ଜଣେ ମହିଳା ଏହି ନିଆଁ ଲଗାଇଥିବା ନିଜେ ସ୍ୱୀକାର କରିଛନ୍ତି । ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ବତୀମରା ଗ୍ରାମର ମିନତି ସାହୁ । ତାଙ୍କର ପାରିବାରିକ ସମସ୍ୟା ଏବଂ ଆଇନଗତ ସମସ୍ୟା ଯୋଗୁଁ ସେ ନିଆଁ ଲଗାଇଥିବା କହିଛନ୍ତି । ସେ ଦୀପାବଳିଠାରୁ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ଏମିତି କରିଛନ୍ତି । ଏଥିପାଇଁ ସେ ଗଣେଶ ଘାଟ ନିକଟରୁ ଝୁଣା, କର୍ପୁର ଓ ପାଣି ବୋତଲ କିଣିଥିଲେ । ପେଟ୍ରୋଲ ପମ୍ପ ପଛରେ ପାଣି ଢାଳି ଦେଇ ଶହେ ଟଙ୍କାରେ ପେଟ୍ରୋଲ କିଣିକି ଆଣିଥିଲେ । ଏହା ପରେ ଘରୁ ଆଣିଥିବା କପଡ଼ାରେ ଝୁଣା ଓ କର୍ପୁର ଗୁଡ଼ାଇ ପେଟ୍ରୋଲ୍ ଢାଳି କୋର୍ଟ ଭିତରକୁ ଫିଙ୍ଗିଥିଲେ । କିନ୍ତୁ ନିଆଁ କପଡ଼ା ପାଚେରୀରେ ବାଜି ବାହାରେ ପଡ଼ିଥିଲା ।
ଏହି ଘଟଣାର ଭିଡ଼ିଓ କରିବାକୁ ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ମହିଳା ଜଣକ ନିଜ ଫୋନ୍ ଦେଇଥିଲେ । ଏହା ପରେ ସେ ଏପରି କାଣ୍ଡ ଘଟାଇଥିଲେ ।
ସେପଟେ ପ୍ରଶ୍ନ ଉଠୁଛି, ପାଣି ବୋତଲରେ ମହିଳାଙ୍କୁ ପେଟ୍ରୋଲ୍ କିଏ ଦେଇଛି ? ଗତବର୍ଷ ରାଜ୍ୟରେ ବାରମ୍ବାର ଆତ୍ମଦାହ ଖବର ଆସିବା କ୍ଷଣି ରାଜ୍ୟ ସରକାର ସାଧାରଣ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଲାଗୁ କରିଥିଲେ । କୌଣସି ପେଟ୍ରୋଲ୍ ପମ୍ପ୍ ପାଣି ବୋତଲରେ ପେଟ୍ରୋଲ୍ ବିକି ପାରିବେ ନାହିଁ ବୋଲି ତାଗିଦ କରାଯାଇଥିଲା । କିନ୍ତୁ ଆଜି ସରକାରୀ କଟକଣାକୁ ଫୁ କରି ବୋତଲରେ ପେଟ୍ରୋଲ୍ ବିକ୍ରି ହୋଇଛି । ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିଛି । ତେବେ ଉକ୍ତ ମହିଳାଙ୍କୁ ପୋଲିସ ଅଟକ ରଖିଛି ।