ଭୁବନେଶ୍ୱର: ହାତୀ-ମଣିଷ ଲଢ଼େଇରେ ଗଡ଼ୁଛି ଯାଉଛ ଶତାଧିକ ପ୍ରାଣ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୪୪୩ ଜଣ ପ୍ରାଣ ହରାଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀଙ୍କ ଉତ୍ତର ମୁତାବକ, ୫୧ଟି ବନଖଣ୍ଡରେ ହାତୀ ଆକ୍ରମଣରେ ୪୪୩ ଜଣ ପ୍ରାଣ ହରାଇଛନ୍ତି । ହାତୀ ଉପଦ୍ରବରେ ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି । ସେହିପରି ୫,୫୮୭ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।
ଗତ ତିନି ବର୍ଷରେ ରାଜ୍ୟରେ ୨୬୪ଟି ହାତୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ଟି ପ୍ରାକୃତିକ କାରଣ ଏବଂ ୧୩୨ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ବନ୍ୟଜନ୍ତୁଙ୍କ ମଧ୍ୟରେ ୪ ଟି ମହାବଳ ବାଘ , ୨୫ ଟି କଲରା ପତରିଆ ବାଘ, ୧୪୨୬ ଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ କେବଳ ଶିକାରୀଙ୍କ ଦ୍ୱାରା ୪୪୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ୫୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହତ ହୋଇଛନ୍ତି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩୦୭୪ ଜଣ ଶିକାରୀ ଗିରଫ ହୋଇଛନ୍ତି । ତେବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନଖଣ୍ଡରେ ୧୪୨୦ ଗୋଟି ପ୍ରାକ୍ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି ।