ୱାଶିଂଟନ: ଆମେରିକୀୟ ନୌସେନାର ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜଗୁଡ଼ିକ 'ଅପରେସନ୍ ଏପିକ୍ ଫ୍ୟୁରି'ର ପ୍ରଥମ ଚାରି ସପ୍ତାହ ମଧ୍ୟରେ ୮୫୦ ରୁ ଅଧିକ ଟୋମାହାକ୍ କ୍ରୁଜ୍ ମିସାଇଲ୍ ମାଡ଼ କରିସାରିଛନ୍ତି। ଏହା କୌଣସି ଗୋଟିଏ ଅଭିଯାନରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ସଂଖ୍ୟା। ଏହି ସୂଚନା ଆମେରିକାର ପ୍ରସିଦ୍ଧ ଥିଙ୍କ୍ ଟ୍ୟାଙ୍କ୍ CSIS (ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍) ର ନୂତନ ରିପୋର୍ଟରେ ଦିଆଯାଇଛି।
ପ୍ରତ୍ୟେକ ଟୋମାହାକ୍ ମିସାଇଲ୍ର ମୂଲ୍ୟ ପ୍ରାୟ ୩.୬ ମିଲିୟନ ଡଲାର (ପ୍ରାୟ ୩୫ କୋଟି ଟଙ୍କା)। ଏହି ହିସାବରେ ଏହି ୮୫୦ଟି ମିସାଇଲ୍ର ମୋଟ ମୂଲ୍ୟ ପ୍ରାୟ ୩୦,୦୦୦ କୋଟି ଟଙ୍କା ଆକଳନ କରାଯାଇପାରେ। ରିପୋର୍ଟରେ କୁହାଯାଇଛି ଯେ, ଏହି ମିସାଇଲଗୁଡ଼ିକ ମୁଖ୍ୟତଃ ଦୁଇଟି ଗାଇଡେଡ୍ ମିସାଇଲ୍ ବୁଡ଼ାଜାହାଜ ଏବଂ ଡିଷ୍ଟ୍ରୋୟର୍ ଜଳଜାହାଜରୁ ଛଡ଼ାଯାଇଛି। ଏହି ଜଳଜାହାଜଗୁଡ଼ିକରେ ଭର୍ଟିକାଲ୍ ଲଞ୍ଚିଂ ସିଷ୍ଟମ (VLS) ଲାଗିଛି। ଏହି ଅଭିଯାନରେ ସେହି ଅଞ୍ଚଳରେ ଉପଲବ୍ଧ ଲଞ୍ଚରଗୁଡ଼ିକର ପ୍ରାୟ ଅଧା ଅଂଶ ବ୍ୟବହାର କରାଯାଇସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସମୁଦ୍ର ମଧ୍ୟରେ ଏହି ଲଞ୍ଚରଗୁଡ଼ିକୁ ପୁନର୍ବାର ଲୋଡ୍ କରାଯାଇପାରିବ ନାହିଁ। ମିସାଇଲ୍ ଶେଷ ହୋଇଗଲେ ଜଳଜାହାଜଗୁଡ଼ିକୁ ବନ୍ଦରକୁ ଫେରିବାକୁ ପଡ଼ିଥାଏ। ରିପୋର୍ଟ ଅନୁଯାୟୀ, ଷ୍ଟକ୍ ପୁଣିଥରେ ଭରିବା ପାଇଁ ସମୟ ଲାଗିବ।
ରିପୋର୍ଟ ଅନୁସାରେ, ଆମେରିକା 'ଏପିକ୍ ଫ୍ୟୁରି ୨୦୨୬'ରେ କେବଳ ପ୍ରଥମ ୪ ସପ୍ତାହରେ ୮୫୦ଟି ଟୋମାହାକ୍ ମାଡ଼ କରିଛି। ଏହା ଇତିହାସର ଏକ ରେକର୍ଡ। ଏହା ପୂର୍ବରୁ କୌଣସି ବି ଗୋଟିଏ ଅଭିଯାନରେ ଏତେ ସଂଖ୍ୟକ ମିସାଇଲ୍ ମାଡ଼ କରାଯାଇନାହିଁ। ୨୦୦୩ ର ସମ୍ପୂର୍ଣ୍ଣ ଇରାକ ଯୁଦ୍ଧରେ ଆମେରିକା ୮୦୨ଟି ମିସାଇଲ୍ ମାଡ଼ କରିଥିଲା। ବାକି ପୁରୁଣା ଅଭିଯାନ କଥା କହିଲେ, ୧୯୯୧ ର 'ଡେଜର୍ଟ ଷ୍ଟର୍ମ'ରେ ୨୮୮ଟି ମିସାଇଲ୍ ମାଡ଼ କରାଯାଇଥିଲା।
ଟୋମାହାକ୍ ମିସାଇଲ୍ର ସାଂଘାତିକ ଶକ୍ତି
ଟୋମାହାକ୍ ହେଉଛି ଆମେରିକାର ସବୁଠାରୁ ଭରସାଯୋଗ୍ୟ ଦୂରଗାମୀ କ୍ରୁଜ୍ ମିସାଇଲ୍।
• ସଠିକତା: ଏହା ଶତ୍ରୁର ରାଡାରକୁ ଚକମା ଦେଇ ଅତି କମ୍ ଉଚ୍ଚତାରେ ଉଡ଼ିପାରେ।
• ରେଞ୍ଜ: ଏହା ୧୬୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟଭେଦ କରିପାରେ।
• ବିଶେଷତ୍ୱ: ଏହାକୁ ଜଳଜାହାର ଏବଂ ବୁଡ଼ାଜାହାଜରୁ ମଧ୍ୟ ଉତ୍କ୍ଷେପଣ କରାଯାଇପାରିବ।
ଚୀନ୍ ଏବଂ ରୁଷ ପାଇଁ ବଡ଼ ସଙ୍କେତ
ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ଅନୁଯାୟୀ, ଏହି ଅଭିଯାନ ମାଧ୍ୟମରେ ଆମେରିକା ବିଶେଷ କରି ଚୀନ୍କୁ ଏକ କଡ଼ା ଚେତାବନୀ ଦେଇଛି। ପ୍ରଶାନ୍ତ ମହାସାଗରରେ ଚୀନ୍ର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଆମେରିକା ନିଜର ଏହି ଶକ୍ତି ପ୍ରଦର୍ଶନ କରିଛି। ଏତେ ସଂଖ୍ୟକ ମିସାଇଲ୍ ଛାଡ଼ିବା ଦ୍ୱାରା ଏହା ପ୍ରମାଣିତ ହୋଇଛି ଯେ ଆମେରିକା ଯେକୌଣସି ସମୟରେ ଏକ ସାଂଘାତିକ ଆକ୍ରମଣ କରିବାକୁ ପ୍ରସ୍ତୁତ।
ବିଶାଳ ବ୍ୟୟ ଏବଂ ପ୍ରସ୍ତୁତି
ଏହି ୪ ସପ୍ତାହର ଅଭିଯାନରେ ଆମେରିକା କେବଳ ମିସାଇଲ୍ ବ୍ୟବହାର କରିନାହିଁ, ବରଂ ନିଜର ନୌସେନା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ପରଖିଛି। ଗୋଟିଏ ଟୋମାହାକ୍ ମିସାଇଲ୍ର ମୂଲ୍ୟ ପ୍ରାୟ ୨ ମିଲିୟନ ଡଲାର, ତେଣୁ ଏହି ଅଭିଯାନରେ ଆମେରିକା ବିଲିୟନ ବିଲିୟନ ଡଲାର ଖର୍ଚ୍ଚ କରିଛି।