ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳରେ ପ୍ରାୟ ୬.୭୭ ଲକ୍ଷ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି।
ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୨୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ବର୍ତ୍ତମାନ ଓଡ଼ିଶା ଜଳ ନିଗମ (WATCO) ଅଧୀନରେ ଅଛି, ଯାହା ସହରାଞ୍ଚଳରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।
ସେ ଆହୁରି କହିଛନ୍ତି ଯେ ୮୬ଟି ULB ପବ୍ଲିକ୍ ହେଲ୍ଥ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ (PHEO) ଅଧୀନରେ ଅଛି, ଯେଉଁଠାରେ ପ୍ରାୟ ୪,୨୪,୯୯୨ ପରିବାରକୁ ପାଇପ୍ ପାନୀୟ ଜଳ ଯୋଗାଣ ସଂଯୋଗ ଯୋଗାଇ ଦିଆଯାଉଛି।
ସେହିପରି ରାଉରକେଲାର ପରିସ୍ଥିତି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ୫୬,୭୩୧ ପରିବାର ପାଇପ୍ ଜଳ ଯୋଗାଣ ପାଉଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଏବେ ସହରାଞ୍ଚଳରେ ଆହୁରି ଅଧିକ ପାଇପ୍ ଜଳ ଯୋଗାଣ ବିସ୍ତାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଯାହାଦ୍ୱାରା ସହରାଂଚଳ ବାସିନ୍ଦାଙ୍କ ପାଇଁ ନିରାପଦ ଏବଂ ନିର୍ଭରଯୋଗ୍ୟ ପାନୀୟ ଜଳ ସୁନିଶ୍ଚିତ ହୋଇପାରିବ।