ନୂଆଦିଲ୍ଲୀ: ମହମ୍ମଦ ଶାମି ନିଜର ଶେଷ ଅନ୍ତର୍ଜାତୀୟ ମାଚ୍ ଗତ ବର୍ଷ ମାର୍ଚ୍ରେ ଖେଳିଥିଲେ । ଏହି ଦିନ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଏହା ପରଠୁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରି ନାହାନ୍ତି ଏହି ଦ୍ରୁତ ବୋଲର । ଭାରତ ଏହି ସମୟରେ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛି । ୧୨ରୁ ଅଧିକ ଦ୍ୱିପାକ୍ଷିକ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ଖେଳିଛି । ମାତର୍ ମହମ୍ମଦ ଶାମିଙ୍କୁ କୌଣସି ବି ଫର୍ମାଟରେ ସୁଯୋଗ ମିଳିନାହିଁ ।
ଏହି ସମୟରେ ମହମ୍ମଦ ଶାମି ଆହତ ହୋଇଥିଲେ ମଧ୍ୟ ଅଧିକାଂଶ ସମୟ ଫିଟ୍ ଥିଲେ । ତାଙ୍କୁ କାହିଁକି ଦଳରେ ଚୟନ କରାଯାଉ ନାହିଁ ? ଏହାର ଉତ୍ତର କେବଳ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ବିସିିସିଆଇ ଦେଇ ପାରିବ । ଏହି ସମୟରେ ଶାମି ଅନେକ ଥର କହିଛନ୍ତି ଯେ, ଫିଟନେସ୍ କିମ୍ବା ଚୟନକୁ ନେଇ ତାଙ୍କ ସହ କୌଣସି ଯୋଗାଯୋଗ କରାଯାଇ ନାହିଁ । କଣ ଏମିତିରେ ଅବସର ନେବାକୁ ଚିନ୍ତା କରୁଛନ୍ତି କି ଶାମି ? ଏହାର ଉତ୍ତର ସେ ଦେଇଛନ୍ତି ।
ପଶ୍ଚିମବଙ୍ଗ ପାଇଁ ଲଗାତାର ଘରୋଇ କ୍ରିକେଟ୍ ଖେଳୁଥିବା ମହମ୍ମଦ ଶାମି ଆଇପିଏଲ୍ ୨୦୨୬ରେ ଲଖନଉ ସୁପର ଜାଏଣ୍ଟଓ ପକ୍ଷରୁ ଖେଳିବେ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୩୫ ବର୍ଷୀୟ ଶାମି ଶୁଭଙ୍କର ମିଶ୍ରଙ୍କ ପଡକାଷ୍ଟରେ କହିଛନ୍ତି, ଯେବେ ମୁଁ ଥକି ଯିବି ତେବେ ଯାଇ ଅବସର ନେବା ବିଷୟରେ ଚିନ୍ତା କରିବି । ଯେ ପର୍ଯ୍ୟନ୍ତ ମୋ ମନରେ ଏମିତି ବିଚାର ଆସିନି, ସେ ପର୍ଯ୍ୟନ୍ତ ନିଜର ଖେଳ ଜାରି ରଖିବି । ମୁଁ କ୍ରିକେଟ୍ ସେହି ଦିନ ଛାଡି ଦେବି, ଯେଉଁ ଦିନ ସକାଳୁ ଉଠିଲେ ଲାଗିବ ଯେ, ମୁଁ ବୋର ହୋଇଗଲିଣି ।