ବେଙ୍ଗାଲୁରୁ: IPL 2026 ଧମାକାଦାର ସହିତ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦୦ରୁ ଅଧିକ ରନ୍ କରିଥିଲେ ହେଁ ଏହି ଲକ୍ଷ୍ୟ RCB ପାଇଁ ବହୁତ ଛୋଟ ପ୍ରମାଣିତ ହୋଇଥିଲା। ଦେବଦତ୍ତ ପାଡିକ୍କଲ୍, ବିରାଟ କୋହଲି ଏବଂ ରଜତ ପାଟିଦାରଙ୍କ ଭଳି ବ୍ୟାଟର ସହଜରେ ୨୦୨ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଛି।
ଇଶାନ୍ କିଶାନଙ୍କ ଅଧିନାୟକତ୍ଵ ଇନିଂସ
ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଅଧିନାୟକ ଇଶାନ୍ କିଶାନ୍ ୩୮ ବଲ୍ରେ ୮୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିରେ ୮ ଚୌକା ଏବଂ ୫ ଛକା ସାମିଲ ଥିଲା। ଅନିକେତ ବର୍ମା ୧୮ ବଲ୍ରୁ ବିସ୍ଫୋରକ ୪୩ ରନ୍ ଏବଂ ହେନରିଚ୍ କ୍ଲାସେନ୍ ୩୧ ରନ୍ କରିଥିଲେ। ଅନ୍ୟପକ୍ଷରେ ଜ୍ୟାକବ୍ ଡଫିଙ୍କ ଆଇପିଏଲ୍ ଡେବ୍ୟୁ ଦମଦାର ରହିଛି। ସେ ୪ ଓଭରରେ ମାତ୍ର ୨୨ ରନ ଦେଇ ୩ ୱିକେଟ ନେଇଥିଲେ। ରୋମାରିଓ ସେଫର୍ଡ ମଧ୍ୟ ୩ ୱିକେଟ ନେଇଥିଲେ। ଜୟଦେବ ଉନାଦକତ ଏବଂ ହର୍ଷ ଦୁବେ ପ୍ରତ୍ୟେକ ୧ ୱିକେଟ ନେଇଥିଲେ।
ଜବାବରେ, RCB ଆରମ୍ଭରୁ ଗୋଟିଏ ଓ୍ଵିକେଟ୍ ହରାଇଥିଲେ ହେଁ ଦେବଦତ୍ତ ପାଡିକଲ ଧୂଆଁଧାର ବ୍ୟାଟିଂ କରିଥିଲେ। ପାଡିକଲ ତୃତୀୟ ନମ୍ବରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୬ ବଲରେ ୬୧ ରନ୍ କରିଥିଲେ। ଏଥିରେ ୭ ଚୌକା ଏବଂ ୪ ଛକା ସାମିଲ୍। ବିରାଟ କୋହଲି ୩୮ ବଲରେ ୫ ଚୌକା ଏବଂ ୫ ଛକା ସହିତ ୬୯ ରନ୍ କରିଥିଲେ। ଅଧିନାୟକ ରଜତ ପାଟିଦାର ମଧ୍ୟ ୧୨ ବଲରେ ୩୧ ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। RCB ମାତ୍ର ୧୫.୪ ଓଭରରେ ୪ ୱିକେଟରେ ୨୦୩ ରନ କରି ଲକ୍ଷ୍ୟ ହାସଲ କରି ନେଇଛି। ପ୍ରଥମ ଥର RCB IPLରେ SRH ବିପକ୍ଷରେ ୧୯୦+ ରନର ଟାର୍ଗେଟକୁ ସଫଳତାର ସହିତ ପିଛା କରିଥିଲା।