ନୂଆଦିଲ୍ଲୀ: ଆଜିଠୁ ଅର୍ଥାତ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି ବିଶ୍ୱର ସବୁଠୁ ଧର୍ଣ୍ଣାଢ୍ୟ ଲିଗ୍ ଆଇପିଏଲ୍ । ଏହାର ୧୯ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ । ତେବେ ଏହି ମ୍ୟାଚ୍ ପୁର୍ବରୁ ବାଂଲାଦେଶ ସରକାର ବଡ ୟୁଟର୍ଣ୍ଣ ମାରିଛନ୍ତି । ଆଇପିଏଲର ମ୍ୟାଚ୍ ପ୍ରସାରଣ ଉପରେ ଲଗାଇଥିବା କଟକଣାକୁ ହଟାଇଛନ୍ତି ସେଠାକାର ସରକାର । ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବାହାର କରାଯିବା ପରେ ବାଂଲାଦେଶ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ । ବାଂଲାଦେଶର ନବ ନିର୍ବାଚିତ ସରକାରର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାହିଦ ଉଦ୍ଦୀନ ସ୍ୱପନ ଶନିବାର ବ୍ୟାନ୍ ହଟାଯାଇଥିବା ସୂଚନା ଦେଇଛନ୍ତି ।
ଆଇପିଏଲର ପ୍ରସାରଣକୁ ନେଇ ଜାରି ଅନିଶ୍ଚିତତା ମଧ୍ୟରେ ବାଂଲାଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଗତ ସରକାର ନିଜ ଦେଶରେ ଆଇପିଏଲ୍ ୨୦୨୬ର ପ୍ରସାରଣ ଉପରେ ରୋକ୍ ଲଗାଇଥିଲେ । ଏହି ନିର୍ଦ୍ଦେଶ କାରଣରୁ ସ୍ଥାନୀୟ ଚ୍ୟାନେଲ ଓ ଅପରେଟର ଟୁର୍ଣ୍ଣାମେଣ୍ଟର ପ୍ରସାରଣ କରି ପାରୁ ନ ଥିଲେ । ଫଳରେ ବାଂଲାଦେଶର କ୍ରିକେଟ୍ ପ୍ରେମୀ ଦୁନିଆର ସବୁଠୁ ଲୋକପ୍ରିୟ ଲିଗକୁ ଦେଖିବାକୁ ବଞ୍ଚିତ ହେବାକୁ ଯାଉଥିଲେ ।
ହେଲେ ନୂଆ ସରକାର ଆଇପିଏଲର ପ୍ରସାରଣକୁ ନେଇ ଅଧିକ ନରମ ଓ ଉଦାର ଆଭିମୁଖ୍ୟ ଆପଣେଇଛନ୍ତି । ଫଳରେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆସିପାରେ ବୋଲି ଆଶା କରାଯାଉଛି । ଜାହିଦ କହିଛନ୍ତି, ଆଇପିଏଲର ପ୍ରସାରଣ ପାଇଁ କେହି ହେଲେ ଆବେଦନ କରି ନାହାନ୍ତି । ଆମେ ଖେଳକୁ ରାଜନୀତି ସହ ଯୋଡିବାକୁ ଚାହୁଁନାହୁଁ । ଆମେ ଏହାକୁ ବ୍ୟବସାୟିକ ଦୃଷ୍ଟିରେ ଦେଖିବୁ । ଯଦି କୌଣସି ଚ୍ୟାନେଲ ଆଇପିଏଲର ପ୍ରସାରଣ ପାଇଁ ଆବେଦନ କରନ୍ତି ତେବେ ଆମେ ତା ଉପରେ ସକରାତ୍ମକ ଭାବେ ବିଚାର କରିବୁ ।
Also Read: ଗଲ୍ଫ କିଙ୍ଗ ଟାଇଗର ଉଡ୍ସଙ୍କୁ ଗିରଫ କଲା ଫ୍ଲୋରିଡା ପୋଲିସ, ଜାଣନ୍ତୁ କାରଣ